ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷର କୂଟନୈତିକ ଉତ୍ତେଜନା ପରେ, ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ନୂଆ ମୋଡ଼ ସୃଷ୍ଟି ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଉନ୍ନତିର ସ୍ପଷ୍ଟ ସଙ୍କେତ ଦେଖାଯାଉଛି। କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି। ମାର୍କ କାର୍ନିଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତିକୁ ଏହି ପରିବର୍ତ୍ତିତ ପରିବେଶର ଏକ ପ୍ରମୁଖ ଉଦାହରଣ ଭାବରେ ଦେଖାଯାଉଛି।
ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ କଠୋର ଆମେରିକାର ଶୁଳ୍କ ବିଶ୍ୱ ବାଣିଜ୍ୟକୁ ବାଧାପ୍ରାପ୍ତ କରିଛି, ଏବଂ ଉଭୟ ଦେଶ ନୂତନ ଅଂଶୀଦାର ଖୋଜୁଛନ୍ତି। ଏହାକୁ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ଗସ୍ତ ଉଭୟ ଦେଶରେ ନିବେଶ ବୃଦ୍ଧି କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ନୂଆ ପରିବେଶ ସୃଷ୍ଟି ହେବ। ୨୦୨୩ରେ ନିଜ୍ଜର ବିବାଦ ଯୋଗୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଦୂରତା ଆସିଥିଲା। ତେବେ ଏହି ଗସ୍ତ ଦୂରତା ହ୍ରାସ କରି ଦୁଇ ଦେଶକୁ ନିକଟତର କରାଇବ।
କାନାଡାରେ ଭାରତୀୟ ହାଇକମିଶନର ଦିନେଶ ପଟ୍ଟନାୟକଙ୍କ ଅନୁଯାୟୀ, ଏହି ଗସ୍ତ ଭାରତର କେନ୍ଦ୍ରୀୟ ବଜେଟ ପରେ ହେବାର ସମ୍ଭାବନା ଅଛି ଏବଂ ଏହାକୁ ବ୍ୟବସ୍ଥାରେ ବିଶ୍ୱାସ ଫେରିବାର ଏକ ସଙ୍କେତ ଭାବରେ ଦେଖାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାର୍କ କାର୍ନିଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗ ହୋଇସାରିଛି ଏବଂ ଉଭୟ ପକ୍ଷ ସହମତ ଯେ ଅତୀତର ତିକ୍ତତାକୁ ପଛରେ ପକାଇ ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି CEPA ଉପରେ ଠୋସ୍ ପ୍ରଗତି ହୁଏ ଏବଂ ରାଜନୈତିକ ବିଶ୍ୱାସ ପୁନଃସ୍ଥାପିତ ହୁଏ, ତେବେ ଆଗାମୀ ବର୍ଷଗୁଡ଼ିକରେ ଭାରତ-କାନାଡା ସମ୍ପର୍କ ପୁଣି ମଜବୁତ ହୋଇପାରିବ।