ରାଜକୋଟ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଡାରେଲ ମିଚେଲଙ୍କ ବିସ୍ଫୋରକ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିକୁ ଆସିଯାଇଛି । ଭାରତ ପ୍ରଦତ ୨୮୫ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪୭.୩ ଓଭରରେ ୩ ୱିକେଟ ହରାଇ ହାସଲ କରିଥିଲା । ମିଚେଲ ୧୧୭ ବଲରେ ୧୩୧ ଓ ଗ୍ଲେନ ଫିଲିପ୍ସ ୩୨ ରନ କରି ଅପରାଜିତ ରହିଥିଲେ । ୱିଲ ୟଙ୍ଗ ୮୭ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା ଓ କୂଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । କେଏଲ ରାହୁଲ ଆକର୍ଷଣୀୟ ଶତକ ହାସଲ କରି ଅପରାଜିତ ରହିଥିଲେ । ଶତକୀୟ ଇନିଂସ ଅବସରରେ ରାହୁଲ ୯୨ ବଲର ସମ୍ମୁଖୀନ ହୋଇ ୧୧ ଚୌକା ଓ ଗୋଟିଏ ଛକା ମାରିଥିଲେ । ଶୁଭମନ ଗିଲ ୫୬ ରନ କରିଥିବା ବେଳେ ରୋହିତ ଶର୍ମା ୨୪, ବିରାଟ କୋହଲି ୨୩ ଓ ରବୀନ୍ଦ୍ର ଜାଡେଜା ୨୭ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିଷ୍ଟିଆନ କ୍ଲାର୍କ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାୟଲ ଜେମିସନ, ଜ୍ୟାକ ଫଲକେସ, ଜେଡନ ଲେନକ୍ସ ଓ ମାଇକେଲ ବ୍ରେସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।