ଭୁବନେଶ୍ୱର: ସେଣ୍ଟ୍ରାଲ ଓଡ଼ିଶାର ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଆଜି ସ୍ମାର୍ଟ ମିଟରର କାର୍ଯ୍ୟକାରିତା ଓ ସଠିକତା ସମ୍ପର୍କରେ ପୁନର୍ବାର ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସ୍ମାର୍ଟ ମିଟରଗୁଡ଼ିକ ପାରମ୍ପରିକ ମିଟର ଭଳି ସମାନ କୌଶଳରେ କାର୍ଯ୍ୟ କରେ ଏବଂ ଏହା ଅତ୍ୟନ୍ତ ସଠିକ ଭାବେ ବିଦ୍ୟୁତ ବ୍ୟବହାର ରେକର୍ଡ କରିଥାଏ । ଏହି ସଠିକତାକୁ ଉପଭୋକ୍ତାମାନେ ନିଜେ ପରଖିବା ପାଇଁ କମ୍ପାନୀ ପକ୍ଷରୁ ୨୦ଟି ଗ୍ରାହକ ସେବା କେନ୍ଦ୍ରରେ ସ୍ମାର୍ଟ ମିଟର ଏବଂ ପାରମ୍ପରିକ ମିଟରର ଏକ ‘ଲାଇଭ୍ ଡିସପ୍ଲେ’ ବ୍ୟବସ୍ଥା କରାଯାଇଛି । ଏଠାରେ ସାଧାରଣ ଜନତା ନିଜେ ଉଭୟ ମିଟରର କାର୍ଯ୍ୟଶୈଳୀକୁ ପାଖାପାଖି ରଖି ତୁଳନା କରିପାରିବେ ଓ ଏହାର ସଠିକତା ପରଖି ପାରିବେ ।
ଟିପିସିଓଡିଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସ୍ମାର୍ଟ ମିଟର ବିଦ୍ୟୁତ ବ୍ୟବହାରକୁ ପରିବର୍ତ୍ତନ କରେ ନାହିଁ କିମ୍ବା ବଢ଼ାଇ ଦେଖାଏ ନାହିଁ । ପାରମ୍ପରିକ ମିଟର ତୁଳନାରେ ସ୍ମାର୍ଟ ମିଟରରେ ବିଦ୍ୟୁତ ବ୍ୟବହାର ମାପିବା ଶୈଳୀରେ କୌଣସି ପାର୍ଥକ୍ୟ ମଧ୍ୟ ନାହିଁ । ସ୍ୱୟଂଚାଳିତ ଯାଞ୍ଚ ଏବଂ ବୈଧକରଣ ପ୍ରକ୍ରିୟା ପରେ ମିଟରରେ ଲିପିବଦ୍ଧ ହୋଇଥିବା ପ୍ରକୃତ ବ୍ୟବହାର ଆଧାରରେ ହିଁ ବିଲ୍ ପ୍ରସ୍ତୁତ କରାଯାଏ । ସ୍ୱଚ୍ଛତା ବଜାୟ ରଖିବା ଏବଂ ଉପଭୋକ୍ତାଙ୍କ ବିଶ୍ୱାସ ବଢ଼ାଇବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ସାଧାରଣ ଉପଭୋକ୍ତା, ଆବାସିକ କଲ୍ୟାଣ ସଂଘ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିର୍ଦ୍ଧାରିତ ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ କରିବାକୁ ନିମନ୍ତ୍ରଣ କରାଯାଇଛି । ସେଠାରେ ସେମାନେ ମିଟରର ରିଡିଂ, ବିଭିନ୍ନ ପାରାମିଟର ଏବଂ ବିଦ୍ୟୁତ ବ୍ୟବହାରର ଶୈଳୀକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିପାରିବେ ।
ଏହି ପ୍ରଦର୍ଶନୀ ବ୍ୟବସ୍ଥା ମାଧ୍ୟମରେ ଦର୍ଶକମାନେ ନିଜେ ଦେଖିପାରିବେ ଯେ ବିଦ୍ୟୁତ ବ୍ୟବହାର ମାପିବା କ୍ଷେତ୍ରରେ ଉଭୟ ସ୍ମାର୍ଟ ଏବଂ ପାରମ୍ପରିକ ମିଟର ସମ୍ପୂର୍ଣ୍ଣ ଏକାଭଳି କାର୍ଯ୍ୟ କରୁଛନ୍ତି ।
ଉପଭୋକ୍ତାଙ୍କ ପରିସରରେ ସ୍ଥାପନ କରାଯିବା ପୂର୍ବରୁ ପ୍ରତ୍ୟେକ ସ୍ମାର୍ଟ ମିଟର ପାଞ୍ଚ ସ୍ତରୀୟ ବାଧ୍ୟତାମୂଳକ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିଥାଏ ବୋଲି ଟିପିସିଓଡିଏଲ ଆଶ୍ୱାସନା ଦେଇଛି । ଏହି ମିଟରଗୁଡ଼ିକ ସଠିକତା, ସୁରକ୍ଷା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ମାନକ ଅନୁଯାୟୀ ପ୍ରତିଷ୍ଠିତ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଓ କାଲିବ୍ରେଟ୍ କରାଯାଇଛି । ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ଏନଏବିଏଲ ସ୍ୱୀକୃତିପ୍ରାପ୍ତ ଗବେଷଣାଗାରରେ ଥିବା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଟେଷ୍ଟ ବେଞ୍ଚରେ ଏଗୁଡ଼ିକୁ ପରୀକ୍ଷା କରାଯାଏ । ଏହି ପାଞ୍ଚଟି ପରୀକ୍ଷା ମଧ୍ୟରେ ରହିଛି- ଆକ୍ୟୁରେସି
ଟେଷ୍ଟ (ସଠିକତା ପରୀକ୍ଷା), ନୋ-ଲୋଡ୍ ଟେଷ୍ଟ, ମିଟର କନଷ୍ଟାଣ୍ଟ ଟେଷ୍ଟ, ଡିସପ୍ଲେ ଟେଷ୍ଟ ଏବଂ କମ୍ୟୁନିକେସନ ଟେଷ୍ଟ । ଏହି ସମସ୍ତ ପରୀକ୍ଷଣ ମିଳିତ ଭାବେ ବିଦ୍ୟୁତ ବ୍ୟବହାରର ସଠିକ୍ ମାପ, ମିଟରର ସୁପରିଚାଳନା ଏବଂ ତଥ୍ୟ ପ୍ରେରଣର ବିଶ୍ୱସନୀୟତାକୁ ସୁନିଶ୍ଚିତ କରିଥାଏ ।
ସ୍ମାର୍ଟ ମିଟର ସମ୍ବନ୍ଧୀୟ ପ୍ରଶ୍ନ ଏବଂ ସମସ୍ୟାର ସମାଧାନ ପାଇଁ ଉପଭୋକ୍ତାମାନେ ଯେପରି ସଠିକ୍ ସୂଚନା ଓ ଉପଯୁକ୍ତ ମଞ୍ଚ ପାଇପାରିବେ, ସେଥିପାଇଁ କମ୍ପାନୀ ପକ୍ଷରୁ ଗୋଷ୍ଠୀ ସଚେତନତା ଓ ଜନସମ୍ପର୍କ ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।
ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର କିମ୍ବା କୌଣସି ସହାୟତା ସୂଚନା ପାଇଁ, ଉପଭୋକ୍ତାମାନେ ସୋମବାରରୁ ଶୁକ୍ରବାର ସକାଳ ୯.୩୦ରୁ ୫.୩୦ ମଧ୍ୟରେ ସେମାନଙ୍କର ନିକଟସ୍ଥ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିପାରିବ ।