ନୂଆଦିଲ୍ଲୀ:ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ X, ପୁଣି ଥରେ ଏକ ବଡ଼ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ପୂର୍ବରୁ ଟ୍ୱିଟର ନାମରେ ଜଣାଶୁଣା ଏହି ପ୍ଲାଟଫର୍ମ, ଗୋଟିଏ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଡାଉନ୍ ହୋଇଛି । ଶୁକ୍ରବାର ରାତିରେ, ଲକ୍ଷ ଲକ୍ଷ ଉପଭୋକ୍ତା ହଠାତ୍ X (ପୂର୍ବରୁ ଟ୍ୱିଟର) ବ୍ୟବହାର କରି ପାରୁ ନାହାଁନ୍ତି । ଏହି ବିଭ୍ରାଟ ଡିଜିଟାଲ୍ ଦୁନିଆରେ ହଇଚଇ ସୃଷ୍ଟି କରିଛି ଏବଂ ଲୋକଙ୍କ ଦୈନନ୍ଦିନ ଅନଲାଇନ୍ କାର୍ଯ୍ୟକଳାପକୁ ବାଧା ଦେଇଛି ।
ଡାଉନ୍ ର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କମ୍ପାନୀ ଏହି ଯାନ୍ତ୍ରିକ ସମସ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରଦାନ କରିନାହିଁ।
ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୮:୩୦ରେ ୟୁଜରମାନେ Xରେ ଲଗ୍ ଇନ୍ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କର ସାଧାରଣ ଫିଡ୍ ପରିବର୍ତ୍ତେ, ସେମାନଙ୍କୁ ଏକ ଖାଲି ସ୍କ୍ରିନ୍ ଦେଖାଉଥିଲା । କିଛି ବ୍ୟବହାରକାରୀ ଲଗ୍ ଇନ୍ କରିପାରିଲେ, କିନ୍ତୁ କୌଣସି ପୋଷ୍ଟ ଦୃଶ୍ୟମାନ ହେଉନଥିଲା ।
ନ୍ୟୁଜ୍ ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ୬୨,୦୦୦ ରୁ ଅଧିକ ଉପଭୋକ୍ତା ଏହି ବିଭ୍ରାଟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବ୍ରିଟେନରେ ୧୧,୦୦୦ ରୁ ଅଧିକ ଉପଭୋକ୍ତା ସମସ୍ୟାର ରିପୋର୍ଟ କରିଛନ୍ତି। ଏକ୍ସ କାମ କରୁନାହିଁ ବୋଲି ଭାରତରେ ମଧ୍ୟ ପ୍ରାୟ ୩,୦୦୦ ବ୍ୟବହାରକାରୀ ରିପୋର୍ଟ କରିଥିଲେ ।