ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୂର୍ବରୁ ଜାନୁଆରୀ ୧୮ ଅର୍ଥାତ୍ ଆଜିର ଦିନରେ ସୁଭଦ୍ରା ଟଙ୍କା ମିଳିବାକୁ ଥିବାବେଳେ, ଏଥିରେ ପରିବର୍ତ୍ତନ ହୋଇଥିବା ସେ କହିଛନ୍ତି । ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଟ୍ବିଟ କରି କୁହାଯାଇଛି ଯେ, ସୁଭଦ୍ରା ଯୋଜନାରେ ନୂତନ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀମାନଙ୍କୁ ଜାନୁଆରୀ ୧୮ ତାରିଖ ବଦଳରେ ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ସାମିଲ କରାଯାଇଛି । ଯେଉଁମାନେ କି ପ୍ରଥମ ଥର ପାଇଁ ସୁଭଦ୍ରା କିସ୍ତି ପାଇବେ ।
ପ୍ରଥମ ଏବଂ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ସେମାନେ ଏଥର ଏକାବେଳକେ ଦୁଇଟି କିସ୍ତିର ଟଙ୍କା ପାଇବେ ।