ଭୁବନେଶ୍ୱର: ରାଜ୍ୟରେ ଜମି ଜନିତ ସମସ୍ୟାକୁ ସରଳ କରିବା ଏବଂ ଦୀର୍ଘ ଦିନ ଧରି ସମାଧାନ ହୋଇପାରୁନଥିବା ସମସ୍ୟା ଗୁଡ଼ିକ ପାଇଁ ସରକାର ଆଗାମୀ ବିଧାନସଭା ଅଧିବେଶନରେ ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଥିବା ନେଇ ସୋମବାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ତେବେ ଏହି ସବୁ ସମସ୍ୟା ପାଇଁ ନୂତନ ଆଇନ ପ୍ରସ୍ତୁତ ହୋଇଛି ଓ ସମସ୍ତ ବିଦ୍ୟମାନ ଜମି ଏବଂ ରାଜସ୍ୱ ସମ୍ପର୍କିତ ଆଇନକୁ ସ୍ପଷ୍ଟ ଆଇନଗତ ଢାଞ୍ଚା ଅଧୀନରେ ଆଣିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।
ପ୍ରସ୍ତାବିତ ପଦକ୍ଷେପ ଆଇନଗତ ଦ୍ୱନ୍ଦ୍ୱ ଦୂର କରିବା ସହ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଲୋକାଭିମୁଖୀ କରିବା ପାଇଁ ଡିଜାଇନ୍ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଅନେକ ବିଦ୍ୟମାନ ରାଜସ୍ୱ ଆଇନକୁ ଗୋଟିଏ ଆଇନରେ ମିଶ୍ରଣ କରାଯିବ, ଯାହା ଦ୍ୱାରା ଜମି ନିୟମ ବୁଝିବା ଏବଂ କାର୍ଯ୍ୟକାରୀ କରିବା ସହଜ ହେବ।
ବ୍ରିଟିଶ ସମୟରେ ହୋଇଥିବା ବ୍ୟବସ୍ଥା ଯୋଗୁଁ ପୁରୀରେ ଜମି ସମସ୍ୟା ଜଟିଳ ହୋଇପଡ଼ିଥିବା ସେ କହିଛନ୍ତି। ତେଣୁ ସରକାର ଏହି ଐତିହାସିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏହି ସମସ୍ତ ଯୋଜନା କରିଥିବା କୁହା ଯାଇଛି। ପୁରୁଣା ବିବାଦର ସମାଧାନ ଏବଂ ଭବିଷ୍ୟତରେ ଜବରଦଖଲକୁ ରୋକିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଜମି ଏବଂ ପୌର ନିୟନ୍ତ୍ରଣରେ ଥିବା ଜମିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏଥିପାଇଁ ସରକାର ବାର ଆସୋସିଏସନ, ରାଜସ୍ୱ ବିଭାଗ ଏବଂ ଆଇନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବେ ବୋଲି ସୂଚନା ମିଳିଛି।