Latest Odisha News

BREAKING NEWS

କାବୁଲରେ ଭୟଙ୍କର ବିସ୍ଫୋରଣ; ୭ ମୃତ, ଟାର୍ଗେଟରେ ଥିଲେ ଚୀନ୍ ନାଗରିକ!

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୭ ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ବିସ୍ଫୋରଣରେ ଚୀନ୍ ନାଗରିକଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣ ପଛରେ ତାଲିବାନ ଭିତରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଆଫଗାନିସ୍ତାନର ତାଲିବାନ ସରକାର ବିସ୍ଫୋରଣ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରିଛି । ଆଫଗାନିସ୍ତାନ ଗୃହ ମନ୍ତ୍ରଣାଳୟ ସୋମବାର କହିଛି ଯେ କାବୁଲର ଶାହର-ଏ-ନାୱ ଅଞ୍ଚଳରେ ଏକ ଚୀନ୍ ରେଷ୍ଟୁରାଣ୍ଟ ସାମ୍ନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ କିଛି ଆହତ ହୋଇଛନ୍ତି ।

ଆଫଗାନ ସୁରକ୍ଷା ସୂତ୍ର କହିଛନ୍ତି ଯେ, ଆକ୍ରମଣରେ ଚୀନ୍ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା, ଯଦିଓ ପ୍ରଭାବିତ ଲୋକଙ୍କ ସଠିକ୍ ସଂଖ୍ୟା ଜଣାନାହିଁ । କାବୁଲର ଜରୁରୀକାଳୀନ ହସ୍ପିଟାଲ୍ ରିପୋର୍ଟ କରିଛି ଯେ ବିସ୍ଫୋରଣ ପରେ ଜଣେ ଶିଶୁ ଏବଂ ଚାରି ଜଣ ମହିଳା ସମେତ ୨୦ ଜଣଙ୍କୁ ହସ୍ପିଟାଲ୍ ଅଣାଯାଇଥିଲା । ଆହତମାନଙ୍କ ମଧ୍ୟରୁ ୭ ଜଣ ହସ୍ପିଟାଲ୍ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ମଧ୍ୟରେ କୌଣସି ଚୀନ୍ ନାଗରିକ ଅଛନ୍ତି କି ନାହିଁ ତାହା ହସ୍ପିଟାଲ୍ ସ୍ପଷ୍ଟ କରିନାହିଁ ।

ତେବେ ଆଫଗାନିସ୍ତାନର ରାଜଧାନୀ କାବୁଲର ଶାହର-ଏ-ନୱାର ଅଞ୍ଚଳକୁ ସବୁଠାରୁ ନିରାପଦ ଅଞ୍ଚଳ ଭାବରେ ବିବେଚନା କରାଯାଏ, ଯେଉଁଠାରେ ଅନେକ ବିଦେଶୀ ନାଗରିକ ବାସ କରନ୍ତି । ଏହି ଅଞ୍ଚଳରେ ଏବେ ଆକ୍ରମଣ ପରେ ତାଲିବାନ ସରକାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Leave A Reply

Your email address will not be published.