ରାଉରକେଲା:ବେଆଇନ ଜମି କାରବାରରେ ସାମିଲ ନହେବାରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ଝିରପାଣି ନିକଟ ମିଟ୍କୁନ୍ଦରୀ (ଜାମସେରା ଘାଟ) ନିକଟରେ ଏହି ଅଭାବନୀୟ ଘଟଣା । ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ବୀରମିତ୍ରପୁର ତହସିଲ ଅଧୀନ ଖୁଣ୍ଟଗାଁରେ କାର୍ଯ୍ୟରତ ଆରଆଇ ଶ୍ରୀକାନ୍ତ ପାତ୍ର।
ସୂଚନାମୁତାବକ, ଖୁଣ୍ଟଗାଁରେ ସରକାରୀ କାର୍ଯ୍ୟ ସାରି ନିଜ ମୋଟରସାଇକେଲରେ ରାଉରକେଲାସ୍ଥିତ ଉଦିତନଗରସ୍ଥିତ ଘରକୁ ଫେରୁଥିଲେ ଶ୍ରୀକାନ୍ତ ପାତ୍ର। ଏହି ସମୟରେ ମିଟ୍କୁନ୍ଦରୀ (ଜାମସେରା ଘାଟ) ନିକଟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ପିଛା କରି ଅଟକାଇବା ପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ତାଙ୍କର ଗୋଟିଏ ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତିଙ୍କ ସହାୟତାରେ ଆହତ ଆରଆଇଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ତାଙ୍କୁ ପ୍ରଥମେ ରାଉରକେଲା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ବେଆଇନ ଜମି କାରବାରରେ ସହଯୋଗ କରିବାକୁ ସେ ରାଜି ନହେବା ଏବଂ ସରକାରୀ ନିୟମ ଅନୁସାରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି ।
ତେବେ ଆକ୍ରମଣର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ପରେ ହିଁ ଘଟଣା ପଛର ପ୍ରକୃତ ରହସ୍ୟ ଜଣାପଡ଼ିବ।
