Latest Odisha News

BREAKING NEWS

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୋଲିସ ମାଡ଼ରେ ଗୁରୁତର ହୋଇଛି । ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ବ୍ରେନର ସିଟି ସ୍କାନ କରାଯିବା ପରେ ନାବାଳକଙ୍କ ଅବସ୍ଥା ଗୁରୁତର ହେବାରୁ ଇନଡୋରରେ ଆଡମିଶନ କରି ଚିକିତ୍ସା କରାଯାଉଛି । ଯଦି ଆବଶ୍ୟକ ପଡେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଖବର ମୁତାବକ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ ତାଙ୍କ ପତ୍ନୀ ଓ ନାବାଳକ ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ବୟଂସୁ (୧୬) ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ବାହାର କାଠ ନିକଟରେ ସେମାନେ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ତାଙ୍କ ପୁଅକୁ ବାଡେଇ ଥିଲେ । ଏହାର ପ୍ରତିବାଦ କରିବାରୁ ପୋଲିସ ଜଣକ ଆଉ ଥରେ ତାଙ୍କ କାନମୁଣ୍ଡାକୁ ମାଡ଼ ମାରିଥିଲେ । ସେଥିରେ ନାବାଳକ ଜଣକ ସଂଜ୍ଞାହୀନ ହୋଇ ପଡ଼ିବା ପରେ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୁରୀ ଏସପିଙ୍କୁ ଏସମ୍ପର୍କରେ ଖବର ଦେବା ପରେ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର, ସିଂହଦ୍ୱାର ଥାନା ଅଧିକାରୀ ଶ୍ବେତପଦ୍ମା ଦାଶ ଓ କୁମ୍ଭାରପଡ଼ା ଥାନା ଅଧିକାରୀ ବିଜୟ କେତନ ବେହେରା ହସ୍ପିଟାଲରେ ଉପସ୍ଥିତ ରହି ଚିକିତ୍ସା ଉପରେ ଗୁରୁତ୍ୱ ଦେବା ସହ ନାଟମଣ୍ଡପର ସିସିଟିଭି ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ କରୁଛନ୍ତି । ନାବାଳକୁ ପୋଲିସ ନା ଶ୍ରୀମନ୍ଦିର ପୋଲିସ ମାଡ଼ ମାରିଛନ୍ତି ଏନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.