ଶ୍ରୀନଗର: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏକ ବଡ଼ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍ଏଫ୍ ଯବାନମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ, ସମଗ୍ର ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯିବା ସହିତ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ବିଏସ୍ଏଫ୍ ଅଧିକାରୀଙ୍କ ଅନୁଯାୟୀ, ରବିବାର ସନ୍ଧ୍ୟାରେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ସୀମା ସୁରକ୍ଷାକର୍ମୀମାନେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ତାଙ୍କୁ ଅଟକିବାକୁ ଚେତାବନୀ ଦେଇଥିଲେ । କିନ୍ତୁ ସେ ଆଗକୁ ବଢ଼ି ଚାଲିଥିଲେ । ପରବର୍ତ୍ତୀ ସମୟରେ, ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ତେବେ ଅନୁପ୍ରବେଶକାରୀ ନିକଟରୁ କୌଣସି ବୈଧ କାଗଜପତ୍ର ମିଳିନାହିଁ ।
ଗଣତନ୍ତ୍ର ଦିବସ ପାଇଁ ଭାରତୀୟ ସେନା ହାଇ ଆଲର୍ଟରେ ଅଛି । ଯେକୌଣସି ଅନୁପ୍ରବେଶ ପ୍ରୟାସ କିମ୍ବା ଷଡ୍ଯନ୍ତ୍ରକୁ ପ୍ରତିହତ କରାଯିବା ପାଇଁ ଯବାନଙ୍କୁ ମୁତୟନ କରାଯାଇଛି । ସମସ୍ତ ଅନ୍ତର୍ଜାତୀୟ ସୀମାରେ ବିଏସ୍ଏଫ୍, ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) ଓ ସୀମା ପୁଲିସ ଫୋର୍ସ ଦ୍ୱାରା ଚେକ୍ ପଏଣ୍ଟ୍ କରାଯାଉଛି । ଯାନବାହାନ ଯାଞ୍ଚ୍ କରାଯାଉଛି ଓ ପାଟ୍ରୋଲିଂ ଜାରି ରହିଛି। ସମସ୍ତ ଅଞ୍ଚଳରେ ଅନୁପ୍ରବେଶ ପଥ ଉପରେ କଡ଼ା ନଜର ରଖାଯାଇଥିବା ଡିଆଇଜି ଶିବ କୁମାର ଶର୍ମା କହିଛନ୍ତି ।