ନୂଆଦିଲ୍ଲୀ: ଆସାମର ବାରପେଟାରେ ଥିବା ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ଛଅ ଜଣ ନିଖୋଜ ହୋଇଯାଇଛନ୍ତି। ଯେଉଁଥିରେ ଛୋଟ ଛୁଆ ମଧ୍ୟ ରହିଛନ୍ତି।
ଦୁର୍ଘଟଣାର ଖବର ପାଇ NDRF ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିବା ନେଇ ବାରପେଟା ଜିଲ୍ଲା ବରିଷ୍ଠ ପୋଲିସ ଅଧିକ୍ଷକ ସୁଶାନ୍ତ ବିଶ୍ୱ ଶର୍ମା କହିଛନ୍ତି। ତେବେ ଆସାମ ଜିଲ୍ଲାର ରାମପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଡଙ୍ଗାରେ ଥିବା ଲୋକମାନଙ୍କ ପାଖରେ ଲାଇଫ ଜ୍ୟାକେଟ୍ ଉପଲବ୍ଧ ନଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ବାରପେଟା ରାଜସ୍ୱ ସର୍କଲର କ୍ଷେତ୍ର ଅଧିକାରୀ ଜ୍ୟୋତିର୍ମୟ ଚୌଧୁରୀ କହିଛନ୍ତି ଯେ ଡଙ୍ଗାଟି ରାହପରରୁ ବୋର୍ଘୁଲ୍ ଚାରକୁ ଯାତ୍ରା କରୁଥିଲା ଓ ସେଥିରେ ପ୍ରାୟ ୨୨ ଜଣ ଲୋକ ଯାତ୍ରା କରୁଥିଲେ। ଡଙ୍ଗାଟି ଚାଲୁଥିବା ସମୟରେ ଏକ ଘୂର୍ଣ୍ଣିଝଡ ଯୋଗୁଁ ଏହା ଫସି ଓଲଟି ପଡ଼ିଥିଲା। ତେବେ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ କିଛି ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।
ନିଖୋଜ ଛଅ ଜଣଙ୍କ ମଧ୍ୟରେ ଚାରି ଜଣ ଶିଶୁ ଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡିଛି। ବର୍ତ୍ତମାନ ଡଙ୍ଗା ଚାଳକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କୁ ପଚରାଉଚରା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି।ଏଥିସହିତ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ମଧ୍ୟ ଆଶ୍ୱାସନା ଦିଆଯାଇଛି।