ରାୟଗଡ଼ା: ରାୟଗଡ଼ାରେ ପୁଣି ଖେଳିଯାଇଛି ଜଣ୍ଡିସ୍ ଆତଙ୍କ। ଇନ୍ଦିରା ନଗର, କସ୍ତୁରୀ ନଗର, ଅଶୋକ ନଗର ଓ କତୁରୁ ବସ୍ତିରେ ଏକାଧିକ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛି। ସମସ୍ତଙ୍କ ବୟସ ୧୧ରୁ ୧୭ ବର୍ଷ ମଧ୍ୟରେ। ଏକ ସପ୍ତାହ ମଧ୍ୟରେ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୂଷିତ ପାନୀୟ ଜଳ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଯୋଗୁଁ ଲୋକେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।
ତେବେ ଏହାର ଲକ୍ଷଣ ପ୍ରଥମେ ପ୍ରବଳ ଜ୍ବର ହେବା ସହ ଆଖି ହଳଦିଆ ପଡିଯାଉଥିବା ଆକ୍ରାନ୍ତଙ୍କ ପରିବାର ଲୋକେ କହିଛନ୍ତି। ଖବର ପାଇ ସ୍ବସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଅନ୍ୟପଟେ ଆକ୍ରାନ୍ତଙ୍କ ରକ୍ତ ନମୁନା ଓ ପିଇବା ପାଣି ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଇଛି ସ୍ବାସ୍ଥ୍ୟ ବିଭାଗ। ପରିବେଶ ସଫାସୁତରା ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ ୨୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।