ଭୁବନେଶ୍ୱର: ପଡ଼ିଶା ଧାନ ଦଲାଲଙ୍କୁ ଗ୍ରାସିଛି ଓଡ଼ିଶାର ୩୧ ଶହ ଟଙ୍କା ଲୋଭ। ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ। ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡିକୁ ମାଡି ବସିଲା ଯୋଗାଣ ବିଭାଗ। ପଡୋଶୀ ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ଧାନ ଚୋରା ଚାଲାଣ ହେଉଥିଲା ବେଳେ ଖବର ପାଇ ମାଡି ବସିଛି ଜିଲ୍ଲା ଯୋଗାଣ ବିଭାଗ। ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣ ନାଥ ଟୋଲ ଗେଟ ନିକଟରେ ଚୋରା ଧାନ ଟ୍ରକ ଉପରେ ଚଢ଼ାଉ କରି ଆନୁମାନିକ ୯ ଶହ କୁଇଣ୍ଟାଲରୁ ଅଧିକ ଧାନ ଜବତ କରିଛି ଯୋଗାଣ ବିଭାଗ ।
ଜବତ ହୋଇଥିବା ଗାଡି ପାଖରେ କୌଣସି ସଠିକ କାଗଜ ପତ୍ର ନାହିଁ । ଗାଡିଟି ୧୬ ନଂ ଜାତୀୟ ରାଜପଥ ଓଡିଶାର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ପଶ୍ଚିମବଙ୍ଗରୁ ଓଡିଶାକୁ ପ୍ରବେଶ କରୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଓ ସଦର ଯୋଗାଣ ଅଧିକାରୀ ତତକ୍ଷଣାତ ଘଟଣା ସ୍ଥଳରେ ପଂହଁଚି ୩ଟି ଟ୍ରକ ସହିତ ୧୮୦୦ ବସ୍ତା ଧାନ ଜବତ କରିଛନ୍ତି। ଏହା ସହ ୩ ଗାଡିର ଥିବା ୩ ଡ୍ରାଇଭର ଅଟକ ଅଛନ୍ତି । ପଶ୍ଚିମ ବଙ୍ଗରେ ଧାନ ମାଫିଆ ମାନେ କମ ଦାମରେ ଧାନ କିଣି ଓଡିଶା ଧାନ ମଣ୍ଡିକୁ ବିକିବା ପାଇଁ ମସୁଧା କରୁଥିଲେ। ଓଡିଶାରେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହୋଇଥିବାରୁ ବଙ୍ଗର ଧାନ ମାଫିଆ ମାନେ ଓଡିଶା ମୁହାଁ ହେଉଛନ୍ତି ।