ଭୁବନେଶ୍ବର: ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ହେଲେ ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ କୁହୁଡ଼ି ରହିବ । ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ପୁରୀରେ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ ।
ଶନିବାର ଉପକୂଳ ଓଡ଼ିଶାରେ ଶୀତ ପ୍ରାୟତଃ ଉଭେଇ ଯିବ । ପୁରୀରେ ୨୦, ଗୋପାଳପୁରରେ ୧୯, ଚାନ୍ଦବାଲି ଓ ପାରାଦୀପରେ ୧୮, ଛତ୍ରପୁର, ଭୁବନେଶ୍ୱର ଓ ଚାନ୍ଦବାଲିରେ ୧୭, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, କଟକ ଓ ନୟାଗଡ଼ରେ ୧୬ ଡିଗ୍ରୀ ରହିପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୧୫ ଡିଗ୍ରୀ ରହିପାରେ । କୌଣସି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ତଳକୁ ଖସିବନି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ରବିବାର ମଧ୍ୟ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ରାତି ତାପମାତ୍ରା ବଢ଼ିବା ସହ ଶୀତ କମ୍ ରହିବ । ଅଧିକାଂଶ ସ୍ଥାନରେ ପାରଦ ୧୬ରୁ ୧୮ ଡିଗ୍ରୀ ରହିବ । ପୁରୀରେ ୨୦ ଡିଗ୍ରୀ ରହିପାରେ ।
ସେହିପରି ୨ ତାରିଖ ସୋମବାର ଦିନ ଫୁଲବାଣୀରେ ୧୧ଡିଗ୍ରୀ ରହିବ । ନବରଙ୍ଗପୁରରେ ୧୩, କୋରାପୁଟ ଓ ମାଲକାନଗିରିରେ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।