ଭୁବନେଶ୍ୱର: ସଡ଼କ ସୁରକ୍ଷା ମାସର ଶେଷ ଦିନରେ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଡ଼କ ଦୁର୍ଘଟଣା ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନାରେ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଛନ୍ତି ଅଗ୍ନିଶମ ଡିଜି ଡ଼ ଶୁଧାଂଶୁ ଷଡ଼ଙ୍ଗୀ ।
ଆଲୋଚନାରେ ଡିଜି ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କେବଳ ଅଗ୍ନି ଲିଭାଇବା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସଡ଼କ ଦୁର୍ଘଟଣା ଏବଂ ବିପର୍ଯ୍ୟୟ ପରିଚାଳନାର ପ୍ରଥମ ପ୍ରତିକ୍ରିୟାକାରୀ ଭାବରେ କାର୍ଯ୍ୟ କରେ । ଆମର କର୍ମଚାରୀମାନେ ପ୍ରତିଦିନ ଜୀବନ ବଞ୍ଚାଉଛନ୍ତି । ଖବର ପାଇ ଅଗ୍ନିଯୋଦ୍ଧମାନେ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି । ଆହତ ରୋଗୀଙ୍କୁ କେମିତି ପ୍ରଥମିକ ଚିକିତ୍ସା ଦେବାକୁ ପଡ଼ିବ ସେ ନେଇ ଆଗ୍ନିଯୋଦ୍ଧାଙ୍କୁ ତାଲିମ ଦିଆଯାଇଛି ।
ଏହି ଅବସରରେ ଅଗ୍ନିଶମ ଡିଜି ୧୧୨କୁ ଫୋନ କରି ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏପରି କି ଫାଷ୍ଟ ଏଡ୍ ସମ୍ପର୍କରେ ଅବଗତ ହେବା ଜରୁରୀ ବୋଲି ଲୋକଙ୍କୁ କହିଥିଲେ । ରାଜ୍ୟରେ ସମସ୍ତ ବ୍ଲକ ସମେତ ୩୪୬ଟି ଅଗ୍ନିଶମ କେନ୍ଦ୍ର ରହିଛି । କେନ୍ଦ୍ରରେ ସମସ୍ତ ପ୍ରକାର ସରଞ୍ଜାମ ରହିଛି । ଅଗ୍ନିଶମ ବିଭାଗ ଲୋକଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି ବୋଲି ଡିଜି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।
ଅଗ୍ନିଶମ ଡିଜି ଆହୁରି କହିଛନ୍ତି ଯେ, ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଦୁର୍ଘଟଣାରେ ୨୧ ହଜାର ୧୨ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଅଗ୍ନିଯୋଦ୍ଧା । ୫୦ ହଜାରୁ ଅଧିକ ପଶୁଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ।
ଏବେ ଅଗ୍ନିଶମ ବିଭାଗରେ ଯୋଡି ହୋଇଛି ଅତ୍ୟାଧୁନିକ ମିନି ଦମକଳ ଗାଡ଼ି । ପ୍ରଥମ ପର୍ଯ୍ୟାୟରେ ୩୨ଟି ଗାଡ଼ି ମିଳିଛି । ଏ ସବୁ ଗାଡ଼ି ଦୁର୍ଘଟଣା ପ୍ରବଣ ଜିଲ୍ଲା ଓ ପ୍ରମୁଖ ସହରରେ ନିୟୋଜିତ ହେବ । ମିନି ଦମକଳ ଗାଡ଼ିରେ ନିଆଁ ଲଭାଇବାକୁ ପାଣି, ପ୍ରାଥମିକ ଚିକିତ୍ସା ପାଇଁ ମେଡିସିନ୍, ଅକ୍ସିଜେନ୍ ସିଲିଣ୍ଡର, ଉଦ୍ଧାର ଏବଂ ଜୀବନ ରକ୍ଷାକାରୀ ଉପକରଣ ରହିବ । ଉକ୍ତ ଗାଡ଼ି ଅତି ସହଜରେ ସବୁ ସ୍ଥାନକୁ ଯାଇପାରୁଛି । ବଡ଼ ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ମୃତଦେହକୁ ରଖିବା ପାଇଁ ପୂର୍ବରୁ ଅଗ୍ନିଶମ ବିଭାଗର ପାଖରେ କୌଣସି ଗାଡ଼ି ନଥିଲା । ଏବେ ଶବ ସଂରକ୍ଷଣ ଗାଡ଼ି କିଣା ଯାଇଛି । ଉକ୍ତ ଗାଡ଼ରେ ଫ୍ରିଜ୍ର ବ୍ୟବସ୍ଥା ଅଛି । ଏକା ସାଙ୍ଗରେ ୧୨ ମୃତ ଦେହ ୩୬ ଘଣ୍ଟା ରହିପାରିବ ବୋଲି ଡିଜି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
୨୦୨୩ରେ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ୫୩୯୩ ଦୁର୍ଘଟଣସ୍ଥଳକୁ ଯାଇଥିଲା । ଏହି ଦୁର୍ଘଟଣା ସ୍ଥଳରୁ ୬୪୩୭ଙ୍କୁ ଜୀବନ ରକ୍ଷା କରିଥିଲା । ୨୦୨୪ରେ ୪୯୩୬ଟି ଦୁର୍ଘଟଣାରୁ ୫୮୩୩ ଜଣଙ୍କୁ ଓ ୨୦୨୫ରେ ୮,୧୭୨ଟି ସଡ଼କ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଯାଇ ସଫଳତାର ସହିତ ୮,୭୪୨ ଜୀବନ ରକ୍ଷା କରିଥିଲେ । କେମିତି ଉଦ୍ଧାର ହେବ ତା’ ଉପରେ ଏକ ଏକ ଲାଇଭ୍ ଡୋମେ ପ୍ରଦର୍ଶନ ହୋଇଥିଲା ।