କଟକ: ଫିଟିବ ହ୍ୟୁମାନ୍ ସାଗରଙ୍କ ଅକାଳ ମୃତ୍ୟୁ ରହସ୍ୟ । କଟକ ମର୍କତନଗର ଥାନା ପୋଲିସ ହାତରେ ଲାଗିଲା ମେଡିକାଲ ରିପୋର୍ଟ । ହ୍ୟୁମାନ୍ ଚିକିତ୍ସିତ ହେଉଥିବା ଗଣ୍ଡରପୁର ସ୍ଥିତ ଏକ ବେସରକାରୀ ହସ୍ପିଟାଲ୍ ଏହି ରିପୋର୍ଟ ପ୍ରଦାନ କରିଛି । ଲିଭର୍ ସିରୋସିସ୍ ହେବା ପରଠୁ ଉକ୍ତ ହସ୍ପିଟାଲରେ ହ୍ୟୁମାନ୍ ଚିକିତ୍ସିତ ହେଉଥିଲେ । ଗଲା କିଛି ବର୍ଷର ଚିକିତ୍ସା ତଥ୍ୟ ଉକ୍ତ ରିପୋର୍ଟରେ ହସ୍ପିଟାଲ୍ ପକ୍ଷରୁ ପ୍ରଦାନ କରାଯାଇଛି ।
ଗତ ନଭେମ୍ବର ମାସ ୧୭ ତାରିଖରେ ହ୍ୟୁମାନ୍ଙ୍କ ମୃତ୍ୟୁ ହେବାର କିଛି ଦିନ ପୂର୍ବରୁ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତେଣୁ ଏମ୍ସରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ମେଡିକାଲ୍ ରିପୋର୍ଟ ରହିଛି । ଯାହାକୁ ପାଇବା ପାଇଁ ମର୍କତନଗର ଥାନା ପୋଲିସ ଚିଠି ଲେଖି ଏମ୍ସକୁ ଅନୁରୋଧ କରିଥିଲା ।
ଅନ୍ୟପଟେ, ଟଙ୍କା କାରବାର ବିଷୟ ଜାଣିବା ପାଇଁ ଥାନା ପକ୍ଷରୁ ୮ଟି ବ୍ୟାଙ୍କ୍କୁ ଟ୍ରାନଜାକ୍ସନ୍ ତଥ୍ୟ ମଗାଯାଇଥିଲା । ହେଲେ ଗୋଟିଏ ବି ବ୍ୟାଙ୍କ୍ ତଥ୍ୟ ପ୍ରଦାନ କରିନି । ଫଳରେ ହ୍ୟୁମାନଙ୍କ ଟଙ୍କା କାରବାର ତଥ୍ୟ ପୋଲିସ ଏଯାବତ କାଣିଚାଏ ଜାଣିପାରିନି । ମର୍କତନଗର ଥାନା ପୋଲିସ କେବଳ କିଛି ଅଭିଯୁକ୍ତ ଓ ହ୍ୟୁମାନଙ୍କ ଫୋନ୍ କଲ୍ ରେକର୍ଡ ଧରି ବସିଛି । ତେଣୁ ମା’ ଶେଫାଳି ସୁନା ଦେଇଥିବା ଏତଲାକୁ ଏହା ମଧ୍ୟରେ ମାସେରୁ ଅଧିକ ସମୟ ବିତିଥିଲେ ବି ମାମଲାରେ କୌଣସି ଅଗ୍ରଗତି ହୋଇନି ।