Naveen on Mahanadi dispute: ମହାନଦୀ ଜଳ ବିବାଦ; “ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା?” ବୋଲି ପ୍ରଶ୍ନ କଲେ ନବୀନ…
ଭୁବନେଶ୍ଵର: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶନିବାର ୫୦ ତମ ଶୁଣାଣି ଥିବା ବେଳେ ପୁଣି ମାର୍ଚ୍ଚ ୧୪ କୁ ଘୁଞ୍ଚିଛି ଶୁଣାଣି। ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲରେ ପୂର୍ବରୁ ୪୯ଟି ଶୁଣାଣିରେ କୌଣସି ସମାଧାନ ହୋଇପାରିନାହିଁ । ଟ୍ରିବ୍ୟୁନାଲ୍ ଏପର୍ଯ୍ୟନ୍ତ ଜଳ ବଣ୍ଟନ ସମ୍ପର୍କରେ କୌଣସି ଅନ୍ତରୀଣ ବା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନାହାନ୍ତି । ତେଣୁ ଆଜି ଶୁଣାଣିରେ ଉପରେ ସମସ୍ତଙ୍କ ନଜର ରହିଥିବା ଏହା ପୁଣି ଘୁଞ୍ଚିଛି। ଯାହାକୁ ନେଇ ସରକାରଙ୍କୁ ପୁଣି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତବର୍ଷ ଅଗଷ୍ଟ ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ବାହାରି ପାରିଲାନି।
ଏନେଇ ନବୀନ କହିଛନ୍ତି, ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ। ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ? ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ। ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି। ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ।ମହାନଦୀକୁ ବଞ୍ଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ନବୀନ।
ଓଡିଶା ସରକାର ୨୦୧୬ ମସିହାରେ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ (Inter State River Water Dispute Act) ଅନୁସାରେ, ଧାରା-୩ ଅଧୀନରେ ଏକ ଅଭିଯୋଗ ଦାଖଲ କରିଥିଲେ । ଓଡ଼ିଶାର ଅଭିଯୋଗ, ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ଏକପାଖିଆ ଭାବେ ଅନେକ ବ୍ୟାରେଜ୍ ଓ ଶିଳ୍ପଭିତ୍ତିକ ଆନିକଟ ନିର୍ମାଣ କରିଛନ୍ତି । ଏହାଦ୍ୱାରା ଅଣ-ମୌସୁମୀ ସମୟରେ ଓଡ଼ିଶାକୁ ଜଳ ପ୍ରବାହ ସାଂଘାତିକ ଭାବେ କମିଯାଉଛି । ଯାହା ଚାଷ, ପାନୀୟ ଜଳ ଏବଂ ପରିବେଶ ଉପରେ କୁପ୍ରଭାବ ପକାଉଛି । ୨୦୧୬ରେ ଓଡ଼ିଶା ଏନେଇ ଆପତ୍ତି ଉଠାଇବା ପରେ ୨୦୧୮ ମସିହାରେ କେନ୍ଦ୍ର ସରକାର ‘ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍’ (Mahanadi Water Dispute Tribunal) ଗଠନ କରିଥିଲେ । ଏପର୍ଯ୍ୟନ୍ତ ଏହାର ଅବଧି ୨ ଥର ସାମ୍ପ୍ରସରଣ କରାଯାଇଥିଲେ ମଧ୍ୟ ଆଜି ଯାଏଁ ଗୋଟିଏ ମଧ୍ୟ ଶୁଣାଣି ହୋଇନାହିଁ ।
ପୂର୍ବରୁ ଓଡ଼ିଶାରେ ବିଜେଡି ସରକାର ଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ଏହି ମାମଲା ଟ୍ରିବ୍ୟୁନାଲରେ ଆଗକୁ ଗଡୁନଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନ ଓଡ଼ିଶା, ଛତିଶଗଡ ଓ କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ଏହି ସମସ୍ୟାର ସମାଧାନ ହେବ ବୋଲି ଲୋକେ ଆଶା ରଖିଛନ୍ତି । ହେଲେ ପରିସ୍ଥିତି ଏପର୍ଯ୍ୟନ୍ତ ସମାନ। ଅନ୍ୟପଟେ ଏହି ମାମଲାରେ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ ରେ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ, ଟ୍ରିବ୍ୟୁନାଲର ଅବଧି ଏପ୍ରିଲ ୨୦୨୬ରେ ଶେଷ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ୧୩ରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ସମୟସୀମାକୁ ଆଉ ୯ ମାସ ବଢ଼ାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର।