Latest Odisha News

ଦୋସ୍ତ୍ ଦୋସ୍ତ୍ ନା ରାହା: ଭାରତ-ଆମେରିକା ଟ୍ରେଡ୍ ଡ଼ିଲକୁ ନେଇ ଚିହିଁକିଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଘୋଷଣା ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରିଛନ୍ତି।

ଯେଉଁଥିରେ ସେ କହିଛନ୍ତି ଯେ ଏହି ଚୁକ୍ତି ପରେ ଭାରତ ଆଉ ଋଷରୁ ତେଲ ଆମଦାନୀ କରିବ ନାହିଁ। ଯଦି ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଋଷରୁ ତେଲ କିଣେ ତେବେ ଭାରତ ଉପରେ ଦଣ୍ଡ ଭାବରେ ୨୫ ପ୍ରତିଶତ ଶୁଳ୍କ ଆମେରିକା ପୁନଃ ଲାଗୁ କରିପାରେ।ଯାହାଫଳରେ ଭାରତର ଶକ୍ତି ସୁରକ୍ଷା ଏବଂ ସ୍ୱାଧୀନ ବୈଦେଶିକ ନୀତିକୁ ବିପଦରେ ପକାଇପାରେ ବୋଲି କୁହାଯାଉଛି।

ଏଥିସହିତ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହି ଚୁକ୍ତି ଭାରତୀୟ ଚାଷୀଙ୍କ ଖର୍ଚ୍ଚରେ ଆମେରିକୀୟ ଚାଷୀମାନଙ୍କୁ ଲାଭ ଦେବ। କାରଣ ଭାରତ, ଆମେରିକୀୟ କୃଷି ଉତ୍ପାଦ ଆମଦାନୀ ଉପରେ ଶୁଳ୍କକୁ ଯଥେଷ୍ଟ ହ୍ରାସ କରିବ, ଯାହାଦ୍ଵାରା ଭାରତର ଚାଷୀଙ୍କ ପାଇଁ ଏହା କ୍ଷତିର କାରଣ ସାଜିପାରେ। ଏହାବ୍ୟତୀତ ଏହି ଚୁକ୍ତି ପରେ ଭାରତ ଆମେରିକାଠାରୁ ନିଜର ବାର୍ଷିକ ଆମଦାନୀ ପ୍ରାୟ ତିନିଗୁଣ ବୃଦ୍ଧି କରିପାରେ।ଯାହାକି ଭାରତର ସାମଗ୍ରୀ ବାଣିଜ୍ୟରେ ଦୀର୍ଘକାଳୀନ ବଳକାକୁ ଦୂର କରିବ।

ଅପରପକ୍ଷେ ଆମେରିକାକୁ ଭାରତର ଆଇଟି ଏବଂ ଅନ୍ୟାନ୍ୟ ସେବା ରପ୍ତାନି ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇପାରିନାହିଁ। କାରଣ ଏହି ଚୁକ୍ତିରେ ସେବା କ୍ଷେତ୍ର ପାଇଁ କୌଣସି ଠୋସ୍ ଗ୍ୟାରେଣ୍ଟି ନାହିଁ, ଯାହା ଭାରତୀୟ ଆଇଟି କମ୍ପାନୀ ଏବଂ ବୃତ୍ତିଗତଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଇଛି। ତେବେ ଭାରତର ସାମଗ୍ରୀ ରପ୍ତାନି ଉପରେ ବର୍ତ୍ତମାନ ଆମେରିକାରେ ପୂର୍ବ ଅପେକ୍ଷା ଅଧିକ ଶୁଳ୍କ ଲାଗୁ ହେବ ବୋଲି ମଧ୍ୟ ଜୟରାମ କହିଛନ୍ତି।

ତାଙ୍କ ପୋଷ୍ଟର ଶେଷରେ ସେ କହିଛନ୍ତି ଯେ ଏହି ସମସ୍ତ ଆଲିଙ୍ଗନ ଏବଂ ଫଟୋ-ଅପ୍ କୌଣସି ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଦେଇନାହିଁ। ନମସ୍ତେ ଟ୍ରମ୍ପ ଉପରେ ହାଉଡ଼ି ମୋଦି ଭାରି ପଡିଗଲେ ବୋଲି ଲେଖିବା ସହ ସେ ଦୋସ୍ତ୍ ଦୋସ୍ତ୍ ନା ରାହା ବୋଲି ମଧ୍ୟ ଲେଖିଛନ୍ତି। ତେବେ କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟକୁ ସିଧାସଳଖ ଭାବରେ ରାଜନୈତିକ ଆକ୍ରମଣ ବୋଲି ବର୍ତ୍ତମାନ୍ ଆଲୋଚନା କରାଯାଉଛି।

 

 

Leave A Reply

Your email address will not be published.