ଭୁବନେଶ୍ୱର: ପରଲୋକରେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ଚିକିତ୍ସାଧୀନ ଅବସ୍ଥାରେ ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ କୃଷି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
କାହ୍ନୁଚରଣ ଲେଙ୍କା ୧୯୩୯ମସିହା ମାର୍ଚ୍ଚ ୨ରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫-୨୦୦୦ ମସିହା ଯାଏ ଚୌଦାର ବିଧାୟକ , ୧୯୮୮-୯୪ ମସିହା ଯାଏ ରାଜ୍ୟସଭା ସାଂସଦ ଥିଲେ । ପୁରୁଖା ଓ ବରିଷ୍ଠ ନେତାଙ୍କୁ ହରାଇ ରାଜ୍ୟ କଂଗ୍ରେସରେ ଶୋକର ଛାୟା ଖେଳିଯାଇଛି ।
କାହ୍ନୁଚରଣ ଲେଙ୍କାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।
