Dr Raseshwari Panigrahi: ପୂର୍ବତନ ବିଧାୟକା ରାସେଶ୍ବରୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଜଣାଶୁଣା ଡାକ୍ତର, ସମାଜସେବୀ ଓ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସମ୍ବଲପୁରର ପୂର୍ବତନ ବିଧାୟକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଆଜି ରାତି ୮ଟା ୫୦ମିନିଟରେ ସମ୍ବଲପୁର ଶାନ୍ତିନଗରସ୍ଥିତ ନିଜ ଘରେ ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ସ୍ନାୟୁଜନତି ରୋଗରେ ପୀଡ଼ିତ ଥିବାରୁ ନିଜ ବାସଭବନରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚାଲିଥିଲା ଚିକିତ୍ସା ।
ସେ ଦକ୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର ଏବଂ ସମ୍ବଲପୁରରେ ଦୀର୍ଘ ଦଶନ୍ଧି ଧରି ଲୋକଙ୍କ ସେବା କରିଆସୁଥିଲେ । ୨୦୧୪ ମସିହାରେ ସେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ବିଜେଡିରୁ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।
ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ବରିଷ୍ଠ ନେତ୍ରୀ, ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକରେ ଶୋକ ଜଣାଇଛନ୍ତି। ସେ ଲେଖିଛନ୍ତି, ସମ୍ବଲପୁରର ପୂର୍ବତନ ବିଧାୟିକା ଡ଼ା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱାସ୍ଥ୍ୟସେବା ସହ ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।