Latest Odisha News

BREAKING NEWS

୧୭ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ?

ନୂଆଦିଲ୍ଲୀ: ଫେବୃଆରି ମାସ ୧୭ ତାରିଖରେ ସଂଗଠିତ ହେବ ବର୍ଷର ପ୍ରଥମ ବଳୟ ସୂର୍ଯ୍ୟ ପରାଗ। ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାରର ସୂର୍ଯ୍ୟ ପରାଗ ଘଟିଥାଏ: ଆଂଶିକ, ପୂର୍ଣ୍ଣ ଓ ବଳୟ । ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟ ପରାଗ  ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ । କଦବାକ୍ବଚିତ୍ ମିଶ୍ରିତ  ଅର୍ଥାତ୍ ଏକା ପରାଗରେ  ପୂର୍ଣ୍ଣ ଓ ବଳୟ ପରାଗ ମିଶିକରି ଦେଖାଯାଏ ।

ଫେବୃଆରି ମାସ ୧୭ ତାରିଖରେ ଏହା ଆଫ୍ରିକାର ଦକ୍ଷିଣରେ, ଦକ୍ଷିଣ ଆମେରିକାର ଦକ୍ଷିଣରେ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗରର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଭାବରେ ଓ ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ବଳୟ ସୂର୍ଯ୍ୟ ପରାଗ ଭାବରେ ଦେଖାଯିବ। ଏହା ଭାରତ ତଥା ଓଡିଶାରୁ ଦୃଶ୍ୟମାନ ହେବ ନାହିଁ। ଏହା ଭାରତୀୟ ସମୟ ଦିନ ୩ଟା ୨୬ ମିନିଟ୍ ରୁ ଆରମ୍ଭ ହୋଇ ୫ଟା ୪୨ ମିନିଟ୍ ରେ ସର୍ବାଧିକ  ହେବ। ପରାଗ ଶେଷ ହେବ ଭାରତୀୟ ସମୟ ସନ୍ଧ୍ୟା ୭ଟା ୫୭ ମିନିଟ୍ ରେ।

ସୂଚନାଯୋଗ୍ୟ, ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ବୁଲୁଛନ୍ତି ଓ ବେଳେବେଳେ ପିଣ୍ଡ ତିନୋଟି ଏକ ସରଳ ରେଖାରେ ରହିଥାନ୍ତି ଓ ସେ ସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ। ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ସୂର୍ଯ୍ୟ ପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବ।

ପରବର୍ତ୍ତି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ମାର୍ଚ୍ଚ ୨ ତାରିଖ ରାତିରେ ଦୃଶ୍ୟମାନ ହେବ। ଏହା ଖୁବ ଅଳ୍ପ ସମୟ ପାଇଁ ସମଗ୍ର ଭାରତରେ ଆଂଶିକ ଚନ୍ଦ୍ରଗ୍ରହଣ  ଭାବରେ ଦେଖାଯିବ।

ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଛାଇ ଆଲୋକର ଏକ ଖେଳ। ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ଓ ସୂର୍ଯ୍ୟ ପରାଗ ସମଯରେ ଚନ୍ଦ୍ର ଛାଇ ପୃଥିବୀର ଉପରେ ପଡିଥାଏ। ଏହି ଛାଇ ଦୁଇଟି ବର୍ଷର ୧୨ ମାସ ଯାକ ସବୁ ସମୟରେ ସୃଷ୍ଟି ହୋଇଥାଏ।

Leave A Reply

Your email address will not be published.