ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଓ ପାକିସ୍ତାନ ମ୍ୟାଚ ଆୟୋଜନ କରିବା ନେଇ ଆଇସିସିକୁ ମୁଣ୍ଡ ପୂରାଇବାକୁ ପଡିଥିଲା । ରିପୋର୍ଟ ମୁତାବକ ଆଇସିସି ଏକ ବଡ ଟୁର୍ଣ୍ଣାମେଂଟର ଆୟୋଜନ ଅଧିକାର ଭାରତ ହାତରୁ ଛଡେଇ ନେବା ପାଇଁ ଉଦ୍ୟମ କରିଛି । ଟି୨୦ ବିଶ୍ୱକପରେ ବାଂଲାଦେଶ ଏବଂ ପରେ ପାକିସ୍ତାନ ଭାରତରେ ମ୍ୟାଚ ଖେଳିବେ ନାହିଁ ଜିଦ ଧରିଥିଲେ । ପରେ ବାଂଲାଦେଶକୁ ଟୁର୍ଣ୍ଣାମେଂଟରୁ ବାହାର କରି ଦିଆ ଯାଇଥିଲା । ପାଖାପାଖି ଏକ ମାସ ପର୍ଯ୍ୟନ୍ତ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା କ୍ରିକେଟ ଟିମ ମଧ୍ୟରେ ଉପୁଜିଥିବା ବିବାଦ ଚର୍ଚ୍ଚାର କାରଣ ସାଜିଥିଲା ।
ଅଷ୍ଟ୍ରେଲିଆର ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଖବର ଅନୁସାରେ ଭାରତ, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଉପୁଜିଥିବା କୂଟନୀତି ବିବାଦର ସମାଧାନ ନ ହେଲେ ବିସିସିଆଇ ହାତରୁ ୨୦୨୯ ଚାମ୍ପିୟନ୍ସ ଟ୍ରଫି ଓ ୨୦୩୧ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଯାଇପାରେ । ଅଷ୍ଟ୍ରେଲିଆକୁ ଏଥିପାଇଁ ପରୋକ୍ଷରେ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଚାମ୍ପିୟନ୍ସ ଟ୍ରଫି ପାଇଁ ବିଶେଷ ଭାବେ କୁହାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଳେଖ ରହିଛି । ୨୦୩୧ ବିଶ୍ୱକପ ଭାରତ ଓ ବାଂଲାଦେଶ ମିଳିତ ଭାବେ ଏହାକୁ ଆୟୋଜନ କରିବେ ବୋଲି ଚୂଡାନ୍ତ ହୋଇଛି । ବାଂଲାଦେଶରେ ସରକାର ପରିବର୍ତନ ଏହି ବିବାଦର ସମାଧାନ ଘଟାଇବ ବୋଲି ଆଶା କରାଯାଉଛି ।