କିସ୍ତୱାର: ଜମ୍ମୁ ଓ କାଶ୍ମୀରର କିସ୍ତୱାରର ଏକ ଦୁର୍ଗମ ଅଞ୍ଚଳରେ ରବିବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
ସୁରକ୍ଷା ଅଧିକାରୀମାନେ କହିଛନ୍ତି, ସେମାନଙ୍କୁ ସୂଚନା ମିଳିଥିଲା ଯେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି। ଯାହା ପରେ ଭାରତୀୟ ସେନା, ପୋଲିସ ଏବଂ ସିଆରପିଏଫର ଏକ ମିଳିତ ଟିମ୍ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଟିମ୍ ରବିବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଚତରୁ ବେଲ୍ଟର ପାସେରକୁଟ୍ ଅଞ୍ଚଳରେ ପହଞ୍ଚିଥିଲା। ଆତଙ୍କବାଦୀମାନେ ଯେଉଁ ପାହାଡ଼ ଉପରେ ଲୁଚି ରହିଥିଲେ ସେଠାରେ ଏକ ମାଟି ଘର ଥିଲା। ସୈନିକମାନେ ଘର ନିକଟକୁ ଯିବା ମାତ୍ରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଯାହା ଫଳରେ ପ୍ରବଳ ଗୁଳି ବିନିମୟ ହୋଇଥିଲା।
ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅପରପକ୍ଷରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଥିବା ବେଳେ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।