Latest Odisha News

BREAKING NEWS

Elephant Death: ବେଲଘର ହାତୀ ମୃତ୍ୟୁ ଘଟଣା: ଆଉ ୩ ଶିକାରୀ ଗିରଫ

କନ୍ଧମାଳ: ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ।ଏହି ମାମଲାରେ ଆଉ ୩ ଶିକାରୀଙ୍କୁ ବନ ବିଭାଗ ଶନିବାର ଗିରଫ କରିଛି । ସେମାନେ ହେଲେ ବେଲଘର ରେଞ୍ଜ ଝିରିପାଣି ଗାଁର କ୍ଷମା ପାତ୍ର(୭୬), ବୃଷଭ ପାତ୍ର(୪୪) ଓ ଗୋକୁଳ ପାତ୍ର(୪୧) । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ ଡେପୁଟି ରେଞ୍ଜର ବିନୟ ବିଶି ଏବେ ବି ଫେରାର ରହିଛନ୍ତି ।

ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ତଦନ୍ତ କରିବା ସମୟରେ ଏହି ୩ ଜଣ ଶିକାରୀକୁ ଜେରା କରିବା ବେଳେ ବିଦ୍ୟୁତ ତାର ବିଛାଇବା ସହ ହାତୀର ମୃତ୍ୟୁ ପରେ ବି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା କହିଛନ୍ତି ।

ଏମାନେ ମୁଣ୍ଡୁଟି ଜଙ୍ଗଲରେ ଜାନୁଆରୀ ୪ରେ ବାରହା ଶୀକାର କରିବା ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ। କିନ୍ତୁ ବିଦ୍ୟୁତ୍‌ ଫାସରେ ବାରହା ବଦଳରେ ଜାନୁଆରୀ ୫ରେ ଏକ ହାତୀ ଲାଗି ମୃତ୍ୟୁ ହୋଇଥିଲା।

ପୂର୍ବରୁ ଫେବୃଆରୀ ୪ ତାରିଖରେ ଝିରିପାଣି ଅଞ୍ଚଳର ଅନ୍ୟ ୩ ଶିକାରୀକୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ୩ ଦେଶୀ ବନ୍ଧୁକ, ବିଦ୍ୟୁତ ତାର, ଛାଲ, ଶିଙ୍ଘ ସମେତ ବନ୍ୟ ଜୀବଜନ୍ତୁଙ୍କ କଙ୍କାଳ ଆଦି ଜବତ କରିଥିଲା ବନ ବିଭାଗ ।

ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ଏଯାଏଁ ୬ ଜଣ ଶିକାରୀ, ଫେରାର ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପେରେଟର ସମେତ ମୋଟ ୧୦ଜଣ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହାତୀ ମୃତ୍ୟୁ ପରେ ଘଟଣାକୁ ଚପେଇଦେବାକୁ ଉଦ୍ୟମ କରି ହାତୀ ମୃତଦେହକୁ ୩୨ଖଣ୍ଡ କରି ପୋତି ଦେଇଥିଲେ। ଫେରାର ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ନିଲମ୍ବନ କରାଯାଇଛି। ସେହିପରି ତଦନ୍ତ ରିପୋର୍ଟକୁ ଚପେଇଦେବା ନେଇ ଏସିଏଫ ସୂର୍ଯ୍ୟକାନ୍ତ ବେହେରାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

 

Leave A Reply

Your email address will not be published.