କୋଲକାତା: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବରିଷ୍ଠ ନେତା ମୁକୁଲ ରାୟଙ୍କ ସୋମବାର ସକାଳେ ପରଲୋକ ଘଟିଛି। ସେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ରାତି ପ୍ରାୟ ୧ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୧ ବର୍ଷ ଥିଲା।
ତାଙ୍କ ପୁଅ ଶୁଭ୍ରାଂଶୁ ରାୟ କହିଛନ୍ତି, ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗରେ ପୀଡିତ ଥିଲେ। ମୁକୁଲ ରାୟ ୨୦୧୭ରେ ତୃଣମୂଳ କଂଗ୍ରେସରୁ ନିଜକୁ ଦୂରେଇ ରଖି ବିଜେପିରେ ଯୋଗ ଦେଇଥିଲେ। ସେ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। କିନ୍ତୁ ପରେ ସେହି ବର୍ଷ ଜୁନ୍ ମାସରେ ତୃଣମୂଳ କଂଗ୍ରେସକୁ ଫେରି ଆସିଥିଲେ। ଫେରିବା ପରେ ତାଙ୍କର ସକ୍ରିୟତା ଅପରିବର୍ତ୍ତିତ ରହିଥିଲା।
୨୦୧୦ ଦଶକରେ ଟିଏମସି ସହିତ ତାଙ୍କର ସମ୍ପର୍କ ଖରାପ ହୋଇଗଲା। ସେ ଟିଏମସିରୁ ଦୂରେଇ ଯାଇଥିଲେ, ବିଶେଷକରି ସାରଦା ଚିଟଫଣ୍ଡ ଦୁର୍ନୀତି ଭଳି ପ୍ରସଙ୍ଗ ପରେ। ଫେବୃଆରୀ ୨୦୧୫ରେ, ଦଳ ତାଙ୍କୁ ଜାତୀୟ ସାଧାରଣ ସମ୍ପାଦକ ପଦରୁ ହଟାଇ ଦେଇଥିଲା। ସେ ସେପ୍ଟେମ୍ବର ୨୦୧୭ରେ ଟିଏମସିରୁ ଇସ୍ତଫା ଦେଇଥିଲେ ଏବଂ ନଭେମ୍ବର ୨୦୧୭ରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ। ତଥାପି, ସେ ଜୁନ୍ ୨୦୨୧ରେ ଟିଏମସିକୁ ଫେରି ଆସିଥିଲେ।
ପଶ୍ଚିମ ବଙ୍ଗ ରାଜନୀତିରେ “ବଙ୍ଗର ଚାଣକ୍ୟ” ଭାବରେ ଜଣାଶୁଣା ମୁକୁଲ ରାୟଙ୍କ ବିୟୋଗ ରାଜନୈତିକ ମହଲରେ ସ୍ତବ୍ଧତା ସୃଷ୍ଟି କରିଛି। ତାଙ୍କ ବିଦାୟକୁ ଟିଏମସି ଏବଂ ବଙ୍ଗ ରାଜନୀତିରେ ଏକ ଯୁଗର ଅନ୍ତ ଭାବରେ ଦେଖାଯାଉଛି।