ନୂଆଦିଲ୍ଲୀ: ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ସୁପର-୮ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ପରାସ୍ତ ହୋଇଛି ଆୟୋଜକ ଭାରତ । ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରେ ଆଇସିସିର କୌଣସି ଧଳା ବଲ୍ ଟୁର୍ଣ୍ଣାମେଣ୍ଟରେ ଏହା ଭାରତର ପ୍ରଥମ ପରାଜୟ । ଏହି ପରାଜୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ଅମୀରଙ୍କ ଏକ ଭାଇରାଲ ଭବିଷ୍ୟବାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅମୀରଙ୍କୁ ପ୍ରଶଂସା ଓ ଭାରତକୁ କଟାକ୍ଷ କଲେ ମହମ୍ମଦ ୟୁସୁଫ୍
ଭାରତର ପରାଜୟ ପରେ ପାକିସ୍ତାନର ପୂର୍ବତନ ବ୍ୟାଟର ମହମ୍ମଦ ୟୁସୁଫ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ ମହମ୍ମଦ ଅମୀରଙ୍କୁ ପ୍ରଶଂସା କରିବା ସହ ଭାରତକୁ ପରିହାସ କରିଛନ୍ତି । ଅମୀର ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ ଭାରତ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ । ଅମୀରଙ୍କ ମତରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ଏହି ଗ୍ରୁପରୁ ଶୀର୍ଷ ଦୁଇଟି ସ୍ଥାନ ଦଖଲ କରିବେ ।
ୟୁସୁଫ୍ ଲେଖିଛନ୍ତି, “ଓହୋ @iamamirofficial, ତୁମେ ଜଣେ ବିପଜ୍ଜନକ ଖେଳାଳି ! ପୂର୍ବରୁ ପଡ଼ିଆରେ ଭାରତୀୟଙ୍କୁ ହଇରାଣ କରୁଥିଲ, ଏବେ ଷ୍ଟୁଡିଓରେ ବସି ସେମାନଙ୍କ ନିଦ ହଜାଇ ଦେଉଛ । ସେମାନଙ୍କୁ ଟିକେ ନିଶ୍ୱାସ ନେବାକୁ ଦିଅ, ସେମାନେ ଅଲରେଡି ଚାପରେ ଅଛନ୍ତି ।” ଏଥିସହ ସେ ଦକ୍ଷିଣ ଆଫ୍ରିକାର ଶୃଙ୍ଖଳିତ ବୋଲିଂ ଓ ନିମ୍ନକ୍ରମର ବ୍ୟାଟିଂକୁ ପ୍ରଶଂସା କରିଛନ୍ତି ।
ଭାରତର ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ
ଗ୍ରୁପ୍ ପର୍ଯ୍ୟାୟରେ ଆମେରିକା, ପାକିସ୍ତାନ ଭଳି ଦଳକୁ ହରାଇ ଶୀର୍ଷରେ ରହିଥିଲେ ମଧ୍ୟ ସୁପର-୮ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ସାମ୍ନାକୁ ଆସିଛି । ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ଅଭିଷେକ ଶର୍ମା ମାତ୍ର ୧୫ ରନ କରି ଆଉଟ୍ ହୋଇଥିବା ବେଳେ ତିଲକ ବର୍ମା ମାତ୍ର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ ।
ଇଶାନ କିଷାନ ବିଫଳ ହୋଇଥିଲେ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଉପର କ୍ରମରେ ବ୍ୟାଟିଂ କରିବା ପାଇଁ ପଠାଯିବା ପରୀକ୍ଷା ମଧ୍ୟ କାମ ଦେଇନଥିଲା। କେବଳ ଶିବମ ଦୁବେଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ଭାରତ ୧୦୦ ରନ ଅତିକ୍ରମ କରିପାରିଥିଲା ।
ବୋଲିଂରେ ବିଫଳତା
ଭାରତୀୟ ବୋଲରମାନେ ପାୱାରପ୍ଲେ ମଧ୍ୟରେ ୩ଟି ୱିକେଟ୍ ନେଇ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଡିୱାଲ୍ଡ ବ୍ରେଭିସ୍ ଏବଂ ଡେଭିଡ୍ ମିଲରଙ୍କ ବିସ୍ଫୋରକ ବ୍ୟାଟିଂକୁ ରୋକିବାରେ ବିଫଳ ହୋଇଥିଲେ । ଶେଷ ଆଡ଼କୁ ଟ୍ରିଷ୍ଟାନ ଷ୍ଟବ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ୧୮୭ ରନର ଏକ ବଡ଼ ସ୍କୋର ଛିଡ଼ା କରିଥିଲା ।
ଏହି ପରାଜୟ ପରେ ଭାରତର ସେମିଫାଇନାଲ ଆଶା ଏବେ ଅନ୍ୟ ଦୁଇଟି ମ୍ୟାଚ୍ ଉପରେ ନିର୍ଭର କରୁଛି । ଯଦି ଭାରତ ଆଉ ଏକ ମ୍ୟାଚ୍ ହାରିଯାଏ, ତେବେ ଅମୀରଙ୍କ ସେହି ଚର୍ଚ୍ଚିତ ଭବିଷ୍ୟବାଣୀ ସତ ହୋଇଯିବାର ଆଶଙ୍କା ରହିଛି ।