ଚେନ୍ନାଇ: ଜିମ୍ବାୱେ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ଟି୨୦ ବିଶ୍ୱକପ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ତେବେ ଏହି ବିଜୟ ପଛରେ ଥିବା ଏକ ରହସ୍ୟକୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖୁଲାସା କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ଟିମର ଭିଡିଓ ଆନାଲିଷ୍ଟ ଏକ ସ୍ପେଶାଲ ସ୍ଲାଇଡ ତିଆରି କରିଥିଲେ । ଯାହାକୁ ଦେଖିବା ପରେ ଖେଳାଳିଙ୍କ ମନୋବଳ ବୃଦ୍ଧି ପାଇଥିଲା । ଏଥିରେ ଆମେ ଗତ ବର୍ଷ କିଭଳି ଆନ୍ତର୍ଜାତୀୟସ୍ତରରେ ପ୍ରଦର୍ଶନ କରିଥିଲୁ ତାହା ଦର୍ଶାଯାଇଥିଲା । ପରାଜୟକୁ ଗୁରୁତ୍ୱ ଦିଆଯାଇ ନ ଥିଲା । ଏହାର ପ୍ରଭାବ ମ୍ୟାଚରେ ଦେଖିବାକୁ ମିଳିଥିଲା ।
୭ଜଣ ବ୍ୟାଟ୍ସମ୍ୟାନ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଅଭିଷେକ ଶର୍ମା ସର୍ବାଧିକ ୫୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ କରିଥିଲେ । ଭାରତ ୨୫୬ ରନର ବିଶାଳ ସ୍କୋର କରିଥିଲା । ଏହି ଅବସରରେ ଜିମ୍ବାୱେର ବ୍ରାଏନ ବେନେଟଙ୍କ ଇନିଂସକୁ ସୂର୍ଯ୍ୟକୁମାର ପ୍ରଶଂସା କରିଥିଲେ । ଟି୨୦ରେ ବୋଲରଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆମେ ଏବେ ବିଶ୍ରାମ କରିବା ପରେ ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଯୋଜନା ପ୍ରସ୍ତୁତ କରିବୁ ବୋଲି ସୂର୍ଯ୍ୟକୁମାର କହିଛନ୍ତି ।