Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ବାରମ୍ବାର ଭାରତକୁ ଅସୁବିଧାରେ ପକାଇଛି ୱେଷ୍ଟଇଣ୍ଡିଜ

କୋଲକାତା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ମାର୍ଚ୍ଚ ୧ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଏହି ସୁପର ଏଇଟ ମୁକାବିଲାରେ ବିଜୟ ହାସଲ କରିବାକୁ ପଡିବ । ତେବେ ଟି୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବାରମ୍ବାର ଭାରତକୁ ଅସୁବିଧାରେ ପକାଇଛି । ଦୁଇ ଟିମ ମଧ୍ୟରେ ୩୦ଟି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳାଯାଇଛି । ଭାରତ ୧୯ ଓ ୱେଷ୍ଟଇଣ୍ଡିଜ ୧୦ରେ ବିଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । ସେହିପରି ଟି୨୦ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ୪ଟି ମ୍ୟାଚ ଖେଳାଯାଇଛି । ୱେଷ୍ଟଇଣ୍ଡିଜ ୩ ଓ ଭାରତ ୧ ମ୍ୟାଚରେ ବିଜୟୀ ହୋଇଛନ୍ତି । ୨୦୦୯ରେ ଭାରତୀୟ ଟିମ ଲର୍ଡସରେ ପ୍ରଥମେ ବ୍ୟାଟିଂ କରି ୧୫୩ ରନ କରିଥିଲା । ଡ୍ୱେନ ବ୍ରାଭୋଙ୍କ ବିସ୍ଫୋରକ ୬୬ ରନ ସହାୟତାରେ ୱେଷ୍ଟଇଣ୍ଡିଜ ୭ ୱିକେଟରେ ବିଜୟ ହାସଲ କରିଥିଲା ।

୨୦୧୦ରେ ବ୍ରିଜଟାଉନରେ କ୍ରିସ ଗେଲଙ୍କ ୯୮ ରନ ସହାୟତାରେ ୱେଷ୍ଟଇଣ୍ଡିଜ ୧୬୯ ରନ କରିଥିଲା । ଟିମ ଇଣ୍ଡିଆ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା । ୨୦୧୪ରେ ଭାରତ ଟି୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜକୁ ହରାଇଥିଲା । ମୀରପୁରରେ ୱେଷ୍ଟଇଣ୍ଡିଜ ୧୨୯ ରନ କରିଥିଲା । ବିରାଟ କୋହଲିଙ୍କ ୫୪ ରନ ବଳରେ ଭାରତ ୨ଟି ବଲ ବାକିଥାଇ ମ୍ୟାଚକୁ ଜିତି ନେଇଥିଲା । ୨୦୧୬ ଟି୨୦ ବିଶ୍ୱକପ ପରାଜୟକୁ ଭାରତୀୟ କ୍ରିକେଟପ୍ରେମୀ କେବେ ହେଲେ ଭୁଲିବେନି । ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ କୋହଲିଙ୍କ ୮୯ ଓ ରୋହିତ ଶର୍ମାଙ୍କ ୪୩ ରନ ବଳରେ ଭାରତ ୧୯୨ ରନ କରିଥିଲା । ମାତ୍ର ଲେଣ୍ଡଲ ସିମନ୍ସଙ୍କ ୮୨ ରନ ସହାୟତାରେ ୱେଷ୍ଟଇଣ୍ଡିଜ ୭ ୱିକେଟରେ ଏହାକୁ ଜିତି ନେଇଥିଲା । ପରେ ଇଂଲଣ୍ଡକୁ ହରାଇ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.