କାଣ୍ଡି: ଟି୨୦ ବିଶ୍ୱକପ ୨୦୨୬ରେ ପାକିସ୍ତାନର ଅଭିଯାନ ଶେଷ ହୋଇଛି । ପାକିସ୍ତାନ ଶନିବାର ସୁପର ଏଇଟରେ ତାର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ୫ରନରେ ହରାଇଥିଲେ ମଧ୍ୟ ତାହା ସେମିରେ ପ୍ରବେଶ କରିବା ପାଇଁ ଯଥେଷ୍ଟ ହୋଇନି । ସେମିକୁ ଉନ୍ନୀତ ହେବା ପାଇଁ ପାକିସ୍ତାନକୁ ୬୫ ରନ ବ୍ୟବଧାନରେ ଶ୍ରୀଲଙ୍କାକୁ ହରାଇବା ଜରୁରୀ ଥିଲା । ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ପାକିସ୍ତାନ ଅଳ୍ପକେ ପରାଜୟରୁ ବର୍ତିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୧୩ ରନ କରିଥିଲା । ସାହେବଜାଦା ଫରହାନ(୧୦୦) ଶତକ ହାସଲ କରିଥିବା ବେଳେ ଫକର ଜମାନ ୮୪ ରନର ଇନିଂସ ଖେଳିଥିଲେ । ଉଭୟ ପ୍ରଥମ ୱିକେଟରେ ରେକର୍ଡ ୧୭୬ ରନ ଯୋଗ କରିଥିଲେ ।
ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୨୦୭ ରନ କରିଥିଲା । ପବନ ରତ୍ନାୟକେ ୫୮ ଓ ଦାସୁନ ସନକା ୭୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ଅବରାର ଅହମ୍ମଦ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଶେଷ ଓଭରରେ ଶ୍ରୀଲଙ୍କାକୁ ବିଜୟ ହାସଲ କରିବା ପାଇଁ ୨୮ ରନର ଆବଶ୍ୟକ ଥିଲା । ସନକା ୨୨ ରନ ସଂଗ୍ରହ କରିଥିଲେ । ଫରହାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଥିବା ବେଳେ ଗତକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମୁକାବିଲାରୁ ୪ର୍ଥ ଟିମ ଉନ୍ନୀତ ହେବ ।