Trump Extends Holi Greetings: ସେପଟେ ଇରାନରେ ଆମେରିକାର କ୍ଷେପଣାସ୍ତ୍ର ବର୍ଷା, ଏପଟେ ଭାରତକୁ ଟ୍ରମ୍ପଙ୍କ ହୋଲିର ଶୁଭେଚ୍ଛା…
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଭାରତରେ ବହୁ ଧୁମଧାମରେ ହୋଲି ଉତ୍ସବ ପାଳିତ ହୋଇଯାଇଛି। କାଶ୍ମୀରରୁ କନ୍ୟାକୁମାରୀ, ଗୁଜୁରାଟରୁ ଆସାମ ପର୍ଯ୍ୟନ୍ତ, ଜଳି ରଙ୍ଗରେ ରଙ୍ଗେଇ ହୋଇଛି ଭାରତ। ଖାଲି ଯେ ଭାରତ ତାହା ନୁହେଁ, ହୋଲି ରଙ୍ଗର ଛିଟା ଆମେରିକାର ହ୍ୱାଇଟ୍ ହାଉସ୍ ପର୍ଯ୍ୟନ୍ତ ପହଞ୍ଚିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ହୋଲିରେ ଅଭିନନ୍ଦନ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, “ମେଲାନିଆ ଏବଂ ମୁଁ ହିନ୍ଦୁ ପର୍ବ ହୋଲି ପାଳନ କରୁଥିବା ସମସ୍ତଙ୍କୁ ଆମର ଶୁଭେଚ୍ଛା ପଠାଉଛୁ। ଏହି ଦିନ ବସନ୍ତର ଆଗମନକୁ ସ୍ୱାଗତ କରିବା ଏବଂ ମନ୍ଦ ଉପରେ ଭଲର ବିଜୟ ପାଳନ କରିବାର ପ୍ରତୀକ, ଆଜି, ଯେତେବେଳେ ସାରା ବିଶ୍ୱରେ ସମ୍ପ୍ରଦାୟ ରଙ୍ଗର ଏହି ପର୍ବ ପାଳନ କରିବାକୁ ଏକାଠି ହେଉଛନ୍ତି, ମୁଁ ଆଶା, ଶାନ୍ତି ଏବଂ ଏକତାରେ ପରିପୂର୍ଣ୍ଣ ହୋଲି ପାଳନ କରୁଥିବା ସମସ୍ତ ଆମେରିକୀୟଙ୍କୁ ମଧ୍ୟ କାମନା କରୁଛି।” ବୋଲି ନିଜ ଶୁଭେଚ୍ଛାରେ ଲେଖିଛନ୍ତି। ଟ୍ରମ୍ପଙ୍କ ଶୁଭେଚ୍ଛା ଏବେ ଅନେକ କଳ୍ପନା ଜଳ୍ପନା ସୃଷ୍ଟି କରିଛି।
ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରି ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କୁ ହତ୍ୟା କରିଥିଲେ। ଇରାନ ପରେ ମଧ୍ୟପ୍ରାଚ୍ୟର ସାତଟି ଦେଶ ଉପରେ ଆକ୍ରମଣ କରିଥିଲା, ଯାହା ଏକ ଯୁଦ୍ଧ ଆରମ୍ଭ କରିଥିଲା ଯାହା ଏପର୍ଯ୍ୟନ୍ତ ଜାରି ରହିଛି। ଅନେକ ଦେଶ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ପ୍ରତିବାଦ କରିଥିଲେ। ତଥାପି, ଭାରତ ଏପର୍ଯ୍ୟନ୍ତ ଖାମେନେଇଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିନାହିଁ, ଯଦିଓ ଭାରତର ବିରୋଧୀ ଏହାକୁ ପ୍ରଶ୍ନ କରିଛନ୍ତି। ମଧ୍ୟପ୍ରାଚ୍ୟ ବିବାଦରେ ଭାରତ ଏକ ନିରପେକ୍ଷ ମନୋଭାବ ବଜାୟ ରଖିଥିବା ପରି ନଜର ଆସୁଛି।
ଆଉ ଏହି ସମୟରେ ଟ୍ରମ୍ପ ଭାରତକୁ ହୋଲିର ଶୁଭେଚ୍ଛା ଜଣାଇବା ଅନେକ ଚର୍ଚ୍ଚା ସୃଷ୍ଟି କରୁଛି। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ ଭାରତ ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବା ପରଠାରୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉଛି। ପୂର୍ବରୁ, ଟ୍ରମ୍ପ ମଧ୍ୟ ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରିଥିଲେ। ଭାରତୀୟ ପର୍ବପର୍ବାଣୀ ପ୍ରତି ଟ୍ରମ୍ପଙ୍କ ମନୋଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି।