ଭୁବନେଶ୍ୱର: ଓଡ଼ିଆ ସ୍ୱାଭିମାନର ପ୍ରତୀକ ବିଜୁ ପଟ୍ଟନାୟକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଓଡ଼ିଶାର ବିକାଶ ପାଇଁ ବ୍ରତୀ ଥିଲେ । ବିଜୁ ବାବୁ ଯେଉଁ କ୍ଷେତ୍ରରେ ହାତ ରଖୁଥିଲେ, ତାହା ସୁନା ପାଲଟି ଯାଉଥିଲା । ଅତୀତର ନାୟକ ନୁହେଁ, ବରଂ ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ବିଜୁ ବାବୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ଠାରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି ।
ବିଜୁ ବାବୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଜୁ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନୁହେଁ, ସେ ଥିଲେ ଏକ ଅନୁଷ୍ଠାନ ଓ ଏକ ବିଚାରଧାରା। ସାହସ, ଦୂରଦୃଷ୍ଟି ଓ ଦେଶପ୍ରେମ ତାଙ୍କ ଜୀବନର ପ୍ରମୁଖ ପରିଚୟ ଥିଲା ବୋଲି ସେ କହିଥିଲେ ।
ସେ କହିଥିଲେ ଯେ ଓଡ଼ିଶା ପାଇଁ ବିଜୁ ବାବୁଙ୍କର ଅନେକ ସ୍ୱପ୍ନ ଥିଲା । ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା, ଗରିବ ଲୋକଙ୍କୁ ରୋଜଗାର ଦେବା ଓ ମୌଳିକ ସୁବିଧା ସୁଯୋଗ ଦେବା, ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଗାଁ’ର ସମୃଦ୍ଧି ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା । ଏ ସମସ୍ତ ସ୍ୱପ୍ନର ସାମୂହିକ ରୂପ ହେଉଛି ସମୃଦ୍ଧ ଓଡ଼ିଶା । ସମୃଦ୍ଧ ଓଡ଼ିଶା ଗଠନ ହେଲେ ହିଁ, ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ସମୃଦ୍ଧ ଓଡ଼ିଶା ଗଠନ କରି ବିଜୁ ବାବୁଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବର୍ତ୍ତମାନ ଆମ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ସୁଦୃଢ କରୁଛନ୍ତି ଏବଂ ଗାଁ ଗାଁକୁ ପାନୀୟ ଜଳ, ସଡ଼କ, ବିଦ୍ୟୁତ ଓ ଶିକ୍ଷା ଭିତ୍ତିଭୂମି ସୁବିଧା ପ୍ରଦାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତିରାଜ ବିଭାଗ ପାଇଁ ୩୪,୧୬୬ କୋଟି ଟଙ୍କାର ରେକର୍ଡ ବଜେଟ ବ୍ୟବସ୍ଥା ହୋଇଥିବା କଥା ସେ ଉଲ୍ଲେଖ କରି ରାଜ୍ୟର ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଉଥିବା କଥା କହିଥିଲେ ।
ସେ ଆହୁରି କହିଥିଲେ ଯେ, ଦିନେ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ । ଆଉ ଆଜି ରାଜ୍ୟ ସରକାର ସେହି ଶିଳ୍ପାୟନ ନିମନ୍ତେ ଭିତ୍ତିଭୂମିର ବିକାଶ କରୁଛନ୍ତି। ୨୦ ମାସର ସରକାର ଆଜି ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ଆକର୍ଷଣ କରି ଓଡ଼ିଶାର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ୨.୪୦ ଲକ୍ଷ କୋଟି ଟଙ୍କାର ୧୦୯ ଟି ଶିଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଛି ଏବଂ ଏହାଦ୍ୱାରା ୧.୭୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । ପାରାଦୀପରୁ କଟକ-ଭୁବନେଶ୍ୱର ଦେଇ ପୁରୀ ପର୍ଯ୍ୟନ୍ତ ଏକ ବୃହତ୍ ଅର୍ଥନୈତିକ କରିଡୋର ଗଢ଼ିଉଠୁଛି ଯାହା ଓଡ଼ିଶାର ବନ୍ଦରଭିତ୍ତିକ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଥିଲେ।
ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଯୋଜନାବଦ୍ଧ ଭାବେ କାମ କରାଯାଉଛି। ଆଉ ଏହି ସଫଳତା ଖୁବ୍ କମ୍ ସମୟ ମଧ୍ୟରେ ସାରା ଦେଶ ଦେଖିବ ବୋଲି ସେ କହିଥିଲେ ।
ସେ ଆହୁରି କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅସାଧାରଣ ଥିଲା। ରୟାଲ ଏୟାର ଫୋର୍ସର ପାଇଲଟ୍ ଭାବେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାହସିକ ଭୂମିକା ନିଭାଇଥିଲେ। ଅଗଷ୍ଟ କ୍ରାନ୍ତି ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସ୍ୱାଧୀନତା ପରେ ୧୯୪୭ ମସିହାରେ କାଶ୍ମୀର ସଙ୍କଟ ସମୟରେ ଶ୍ରୀନଗରରେ ସେନା ଅବତରଣ କରାଇ ଭାରତର ସୁରକ୍ଷାରେ ମଧ୍ୟ ସେ ଅମୂଲ୍ୟ ଅବଦାନ ରଖିଥିଲେ।
ପରିଶେଷରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ସମୃଦ୍ଧି ଓ ଓଡ଼ିଆ ଜାତିର ଗୌରବକୁ ଆହୁରି ଉଚ୍ଚତାକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।