ଭୁବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି । ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି ବୋଲି ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ । କିନ୍ତୁ ଓଡ଼ିଶାରେ ଏହାର ଅଭାବ ବହୁ ମାତ୍ରାରେ ପରିଲିକ୍ଷିତ ହୋଇଛି । ଡାକ୍ତରଙ୍କ ଏହି ବଡ଼ ଧରଣର ଅଭାବ ବିଶେଷ କରି ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି ।