Latest Odisha News

BREAKING NEWS

Trump thanks India: ଆମେରିକାରେ ରିଲାଏନ୍ସର ‘ମାଷ୍ଟରଷ୍ଟ୍ରୋକ୍’

ନୂଆଦିଲ୍ଲୀ:ବିଶ୍ୱ ଶକ୍ତି ବଜାରରେ ଭାରତୀୟ କମ୍ପାନୀ ରିଲାଏନ୍ସର ଦବଦବା । ଆମେରିକା ମାଟିରେ ଇତିହାସ ରଚିବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ । ଦୀର୍ଘ ୫୦ ବର୍ଷର ଅପେକ୍ଷା ପରେ ଆମେରିକାରେ ନିର୍ମାଣ ହେବାକୁ ଯାଉଛି ପ୍ରଥମ ନୂଆ ରିଫାଇନାରୀ, ଆଉ ଏହାକୁ ପ୍ରତିଷ୍ଠା କରିବ ଭାରତର ‘ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍’ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଆମେରିକା ଇତିହାସର ସବୁଠାରୁ ବଡ଼ ଡିଲ୍ ବୋଲି କହିଛନ୍ତି । କ’ଣ ରହିଛି ଏହି ୩୦୦ ବିଲିୟନ ଡଲାରର ମେଗା ପ୍ରୋଜେକ୍ଟ ? ଆସନ୍ତୁ ଜାଣିବା ରିପୋର୍ଟ ସମ୍ବନ୍ଧରେ…

ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ହଲଚଲ । ଆମେରିକାରେ ୨୭ ଲକ୍ଷ କୋଟି ଟଙ୍କା ବା ୩୦୦ ବିଲିୟନ ଡଲାର ନିବେଶ କରିବ ରିଲାଏନ୍ସ । ଦକ୍ଷିଣ ଟେକ୍ସାସର ‘ପୋର୍ଟ ଅଫ୍ ବ୍ରାଉନସଭିଲେ’ଠାରେ ସ୍ଥାପନ ହେବ ଏହି ବିଶାଳ ରିଫାଇନାରୀ । ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି ଏବଂ ଟିକସ କୋହଳ ଯୋଗୁଁ ରିଲାଏନ୍ସ ଏହି ବଡ଼ ନିଷ୍ପତ୍ତି ନେଇଛି ।

୧୯୭୦ ଦଶକ ପରଠାରୁ ଆମେରିକାରେ କୌଣସି ନୂଆ ରିଫାଇନାରୀ ନିର୍ମାଣ ହୋଇନଥିଲା । କଠୋର ପରିବେଶ ନିୟମ ଯୋଗୁଁ ଏହା ସମ୍ଭବ ହେଉନଥିବା ବେଳେ ରିଲାଏନ୍ସ ଏହି ଅସମ୍ଭବକୁ ସମ୍ଭବ କରିଛି । ଏହା ଦୁନିଆର ସବୁଠାରୁ ‘କ୍ଲିନ୍’ ବା ପ୍ରଦୂଷଣମୁକ୍ତ ରିଫାଇନାରୀ ହେବ ବୋଲି ଦାବି କରାଯାଉଛି । ଗୁଜରାଟର ଜାମନଗରରେ ବିଶ୍ୱର ସବୁଠାରୁ ବଡ଼ ରିଫାଇନାରୀ ଚଲାଉଥିବା ରିଲାଏନ୍ସ ନିଜର ବୈଷୟିକ ଜ୍ଞାନକୌଶଳକୁ ଏବେ ଆମେରିକା ମାଟିରେ ବ୍ୟବହାର କରିବ ।

ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରକଳ୍ପକୁ ନେଇ ବେଶ ଉତ୍ସାହିତ । ସେ କହିଛନ୍ତି ଯେ ଏହାଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆମେରିକାର ଜାତୀୟ ସୁରକ୍ଷା ମଧ୍ୟ ମଜବୁତ ହେବ । ଭାରତୀୟ କର୍ପୋରେଟ୍ ଜଗତର ବଢୁଥିବା ଶକ୍ତି ଏବେ ବିଶ୍ୱ ନୀତି ନିର୍ଦ୍ଧାରଣ କରୁଛି ।
ଏହି ଡିଲ୍ କେବଳ ଏକ ବ୍ୟବସାୟିକ ଚୁକ୍ତି ନୁହେଁ, ବରଂ ଭାରତୀୟ କମ୍ପାନୀଗୁଡ଼ିକର ବିଶ୍ୱସ୍ତରୀୟ ଦକ୍ଷତାର ପ୍ରମାଣ । କଠୋର ପରିବେଶ ନିୟମ ଭିତରେ ରିଲାଏନ୍ସ କିଭଳି ଭାବେ ଏହି ପ୍ରକଳ୍ପକୁ ସଫଳ କରୁଛି, ତାହା ଉପରେ ଏବେ ସାରା ବିଶ୍ୱର ନଜର ।

Leave A Reply

Your email address will not be published.