ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଯୁଦ୍ଧ ଏବଂ ଶକ୍ତି ସଙ୍କଟ ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଇସ୍ରାଏଲ ଏବଂ ଆମେରିକା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଏବେ ଭାରତୀୟ ଜାହାଜଗୁଡ଼ିକୁ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଦେଇ ଯିବାକୁ ଅନୁମତି ଦେଇଛି । ଯେଉଁ ସମୟରେ ବିଶ୍ୱ ବଜାରରେ ଗ୍ୟାସ ଓ ତେଲର ହାହାକାର ପଡ଼ିଛି, ସେହି ସମୟରେ ଇରାନର ଏହି ‘ସବୁଜ ସଙ୍କେତ’ ଭାରତ ପାଇଁ ବଡ଼ ଆଶ୍ବସ୍ତି ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଇରାନ ସରକାର ଭାରତୀୟ ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷିତ ଯାତାୟାତ ପାଇଁ ଭରସା ଦେଇଛନ୍ତି । ପୂର୍ବରୁ ଇରାନ ଏହି ରାସ୍ତା ଦେଇ ଯାଉଥିବା ଜାହାଜଗୁଡ଼ିକୁ ଚେତାବନୀ ଦେଇଥିଲା, କିନ୍ତୁ ଭାରତ ସହ ବନ୍ଧୁତା ରକ୍ଷା କରି ଏହି ନିଷ୍ପତ୍ତି ନିଆଯାଇଛି ।
ଥାଇଲାଣ୍ଡ ଜାହାଜ ଉପରେ ଆକ୍ରମଣ: ଗତ ବୁଧବାର ‘ମୟୂରୀ ନାରୀ’ ନାମକ ଏକ ଥାଇଲାଣ୍ଡ ମାଲବାହୀ ଜାହାଜ ଉପରେ ରକେଟ୍ ମାଡ଼ ହୋଇଥିଲା । ଏହି ଜାହାଜଟି ୟୁଏଇରୁ ଗୁଜରାଟର କାଣ୍ଡଲା ବନ୍ଦରକୁ ଆସୁଥିଲା। ଏହି ଆକ୍ରମଣ ପରେ ସମୁଦ୍ର ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା।
ସେପଟେ ଦେଶରେ ଗ୍ୟାସ ସଙ୍କଟର ଆଶଙ୍କା ବୃଦ୍ଧି ପାଇଛି, ଯୁଦ୍ଧ କାରଣରୁ ବିଶ୍ୱ ବଜାରରେ ତେଲ ଦର ଆକାଶଛୁଆଁ ହୋଇଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ଏବଂ କମର୍ସିଆଲ ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି ପାଇଛି। ସେପଟେ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି, ଗ୍ୟାସ ବୁକିଂର ସମୟ ସୀମାକୁ ୨୧ ଦିନରୁ ବଢ଼ାଇ ୨୫ ଦିନ କରାଯାଇଛି, ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ତେଲ ଓ ଗ୍ୟାସର ପର୍ଯ୍ୟାପ୍ତ ସ୍ଟକ ରହିଛି, ତେଣୁ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଇରାନର ଏହି ନିଷ୍ପତ୍ତି ପରେ ଏବେ ଭାରତକୁ ତେଲ ଆମଦାନୀ କରିବାରେ ବଡ଼ ସୁବିଧା ମିଳିବ। କିନ୍ତୁ ପ୍ରଶ୍ନ ଉଠୁଛି, କ୍ରମାଗତ ଭାବେ ବଢ଼ୁଥିବା ଏହି ଦରବୃଦ୍ଧିରୁ ସାଧାରଣ ଜନତାଙ୍କୁ କେବେ ମିଳିବ ମୁକ୍ତି ?