ନୂଆଦିଲ୍ଲୀ: ଜିମ୍ବାୱେର ପେସ ବୋଲର ବ୍ଲେସିଙ୍ଗ ମୁଜାରବାନୀ ଆଇପିଏଲ ୨୦୨୬ରେ କେକେଆର ପକ୍ଷରୁ ଖେଳିବେ । ସେ ମୁସ୍ତାଫିଜୁର ରହେମାନଙ୍କ ବଦଳରେ ଦଳରେ ସାମିଲ ହୋଇଛନ୍ତି । କେକେଆର ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ ହେବ । ୧୭ରେ ସେ ଟିମ ସହିତ ଯୋଗଦେବେ । ଆଇପିଏଲ ଖେଳିବା ପାଇଁ ମୁଜାରବାନୀ ପାକିସ୍ତାନ ସୁପର ଲିଗରୁ ଓହରି ଯାଇଛନ୍ତି । ସେ ଇସଲାମବାଦ ୟୁନାଇଟେଡ ଟିମର ଅଂଶବିଶେଷ ଥିଲେ । ସୂଚନାଯୋଗ୍ୟ, ଗତ ପିଏସଏଲ ନିଲାମରେ ମୁଜରବାନୀଙ୍କୁ କୌଣସି ଫ୍ରାଂଚାଇଜର ଟିମରେ ନେଇଥିଲେ ।
ପରେ ଶମୀର ଜୋସେଫଙ୍କ ସ୍ଥାନରେ ସେ ଇସଲାମବାଦ ଟିମ ସହିତ ସିଧାସଳଖ ଜଡିତ ହୋଇଥିଲେ । ସେ ଦ୍ୱିତୀୟ ଥର ପାଇଁ ଆଇପିଏଲ ଖେଳିବେ । ୨୦୨୫ରେ ସେ ଆରସିବି ପକ୍ଷରୁ ଖେଳିଥିଲେ । ଆରସିବି ତାଙ୍କୁ ବଦଳ ଖେଳାଳି ଭାବେ ଦଳରେ ସାମିଲ କରିଥିଲା । ଏଥର କେକେଆର ମୁସ୍ତାଫିଜୁରଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା । ଏବେ ଏହି ଚୁକ୍ତିରେ ମୁଜାରବାନୀ ଖେଳିବେ । କେକେଆର ମାର୍ଚ୍ଚ ୨୯ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।