କଟକ: ଏସସିବି ମେଡିକାଲ କଲେଜ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମେଡିକାଲ ବୁଲି ଦେଖିବା ପରେ କ୍ଷତିପୂରଣ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା। ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
କୁହାଯାଉଛି ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି। ଏବେବି ସଠିକ କାରଣ ଜଣାପଡିନାହିଁ। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ଥିଲେ ୨୩ ଜଣ ରୋଗୀ। ୨୩ ରୋଗୀଙ୍କ ସ୍ଥାନାନ୍ତର ସମୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।