ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ। ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ଆରମ୍ଭ ହୋଇଛି । ଜଣଙ୍କ ପରେ ଜଣେ ବିଧାୟକ ଭୋଟ ଦେବା ପାଇଁ ପହଂଚୁଥିବା ଦେଖିବାକୁ ମିଳିଛି । ଏହି ମତଦାନ ପ୍ରକ୍ରିୟା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି । ମତଦାନ ସରିବା ପରେ ଅପରାହ୍ନ ୫ ଟାରେ ଗଣତି ହେବ ।
ରାଜ୍ୟସଭା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ୫ ପ୍ରାର୍ଥୀ ୪ଟି ଆସନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ଆସନ୍ତା ଏପ୍ରିଲ ୨ରେ ରାଜ୍ୟସଭାରେ ଓଡ଼ିଶାରୁ ଚାରି ସାଂସଦ ସୁଜିତ କୁମାର, ମୁଜିବୁଲ୍ଲା ଖାନ୍, ମମତା ମହାନ୍ତ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେମାନଙ୍କ ମଧ୍ୟରୁ ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପୁଣି ଥରେ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପାର୍ଟି ପ୍ରାର୍ଥୀ କରିଛି। ଦିଲୀପ ରାୟ ଶାସକ ଦଳର ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଅପରପକ୍ଷେ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସହ ମିଳିତ ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତା ୪ର୍ଥ ଆସନ ପାଇଁ ଭାଗ୍ୟ ପରୀକ୍ଷା କରୁଛନ୍ତି।
ସେପଟେ ପ୍ରଥମେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୋଟ ଦେଇଛନ୍ତି । ପାରାଦୀପରେ ଥିବା ବିଜେପି ବିଧାୟକମାନେ ବିଧାନସଭାରେ ପହଂଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଂଚୁଛନ୍ତି । ସେମାନେ ନବୀନ ନିବାସରୁ ବାହାରି ବିଧାନସଭା ଭୋଟ ଦେବାକୁ ଆସିବେ ।
ଏଠାରେ କହିରଖୁଛୁ ଯେ, ମାର୍ଚ୍ଚ ୩ ତାରିଖ ଦିନ ହଠାତ୍ ମନ୍ତ୍ରୀ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ଉନ୍ନତ୍ତ ଚିକିତ୍ସା ଲାଗି ମାର୍ଚ୍ଚ ୫ ତାରିଖରେ ସୁରେଶ ପୂଜାରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। କରୋନାରୀ ଆର୍ଟେରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ଡିଜିଜରେ ଆକ୍ରାନ୍ତ ହୋଇଥିବାରୁ ଦିଲ୍ଲୀ ଏମ୍ସରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରୁ ଭୁବନେଶ୍ବର ଫେରିବା ପରେ ଗତକାଲି ତାଙ୍କୁ ତାଙ୍କର ବାସଭବନକୁ ଯାଇ ମୁଖ୍ୟମନ୍ତ୍ରୀ ଭେଟିଥିଲେ। ସୁରେଶଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଥିବା ବେଳେ ସେ ଆଜି ସେ ପ୍ରଥମେ ଆସି ଭୋଟ ଦେଇଛନ୍ତି।