ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ଯୁଦ୍ଧ ଜାରି ରହିଛି। ଏହି ସଂଘର୍ଷ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆକ୍ରମଣ ମଧ୍ୟରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ଆକ୍ରମଣରେ ଅଲି ମହମ୍ମଦଙ୍କ ମୃତ୍ୟୁ ଘଟିଛି। ଇରାନ ମଧ୍ୟ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି।
ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ୨୧ତମ ଦିନ। ଏହି ଯୁଦ୍ଧ ପ୍ରତିଦିନ ଅଧିକ ଭୟଙ୍କର ହେବାରେ ଲାଗିଛି।
ଫେବୃଆରୀ ୨୮ ତାରିଖରେ ଅଲି ଖାମେନିଙ୍କ ମୃତ୍ୟୁ ପରଠାରୁ, ଏହି ଆକ୍ରମଣରେ ଅନେକ ଶୀର୍ଷ ଇରାନୀ ନେତାଙ୍କ ମୃତ୍ୟୁ ହୋଇଛି।
ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କୋରସ୍ ମୁଖପାତ୍ର ଅଲି ମହମ୍ମଦ ନୈନି ଦ୍ୱିତୀୟ ବ୍ରିଗେଡିୟର ଜେନେରାଲ ପଦବୀରେ ଥିଲେ ଏବଂ ୨୦୨୪ମସିହାରୁ IRGC ମୁଖପାତ୍ର ଥିଲେ। ଜେନେରାଲ ନୈନି ବ୍ରିଗେଡିୟର ଜେନେରାଲ ରମଜାନ ସରିଫଙ୍କ ସ୍ଥାନରେ IRGC ମୁଖପାତ୍ର ଭାବରେ ନିଯୁକ୍ତି ପାଇଥିଲେ ଏବଂ କମାଣ୍ଡର-ଇନ୍-ଚିଫ୍ ମେଜର ଜେନେରାଲ ହୋସେନ୍ ସଲାମି ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ। ଜେନେରାଲ ନୈନିଙ୍କର ୪୦ବର୍ଷର ସାମରିକ ଅଭିଜ୍ଞତା ଥିଲା ଏବଂ ସେ ଇରାନ-ଇରାକ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ଗୁରୁବାର ରାତିରେ ଇରାନ ଚାରୋଟି ଉପସାଗରୀୟ ଦେଶ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ଇରାନ ଦୁବାଇ, ବାହାରିନ, କୁୱେତ ଏବଂ ୟୁଏଇ ଉପରେ ଆକ୍ରମଣ କରିଥିଲା। ଦୁବାଇ ସରକାର ଏହି ଆକ୍ରମଣଗୁଡ଼ିକୁ ନିଶ୍ଚିତ କରିଛି। ଇରାନ ଆକ୍ରମଣରେ ବାହାରିନର ଏକ ଗୋଦାମ ନଷ୍ଟ ହୋଇଯାଇଛି। ଉପସାଗରୀୟ ଦେଶଗୁଡ଼ିକରେ ନିୟୋଜିତ ଆମେରିକାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଛି।