Latest Odisha News

BREAKING NEWS

Netanyahu’s Master Plan: ନେତାନ୍ୟାହୁଙ୍କ ମାଷ୍ଟର ପ୍ଲାନ୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଭୂ-ରାଜନୀତିରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବେ ବିଶ୍ୱକୁ ଏକ ନୂଆ ‘ଏନର୍ଜି ଲାଇଫ୍‌ଲାଇନ୍’ର ସ୍ୱପ୍ନ ଦେଖାଇଛନ୍ତି। ଆରବ ଦେଶରୁ ଇସ୍ରାଏଲ୍ ଦେଇ ୟୁରୋପ ପର୍ଯ୍ୟନ୍ତ ବିଛାଯିବ ବିଶାଳ ଗ୍ୟାସ ଓ ତେଲ ପାଇପଲାଇନ୍। ଯାହା ଫଳରେ ଇରାନର ଦାଦାଗିରି ଶେଷ ହେବା ସହ ବଦଳିଯିବ ଶକ୍ତି ମାନଚିତ୍ର। କ’ଣ ଏହି ‘ଭିଜନ୍ ୨୦୨୬’? ଆସନ୍ତୁ ଜାଣିବା ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ମାଷ୍ଟର ପ୍ଲାନ୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ନେତାନ୍ୟାହୁଙ୍କ ‘ଭିଜନ୍ ୨୦୨୬’ ଅନୁଯାୟୀ, ଆରବ ଦେଶଗୁଡ଼ିକର ବିଶାଳ ତେଲ ଓ ଗ୍ୟାସ ଭଣ୍ଡାରକୁ ପାଇପଲାଇନ୍ ଜରିଆରେ ସିଧାସଳଖ ଇସ୍ରାଏଲର ହାଇଫା କିମ୍ବା ଅସଦୋଦ୍ ବନ୍ଦର ପର୍ଯ୍ୟନ୍ତ ଅଣାଯିବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ, ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ଆଉ ସମୁଦ୍ରର ସଂକୀର୍ଣ୍ଣ ପଥ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ବର୍ତ୍ତମାନ ବିଶ୍ୱର ଅଧିକାଂଶ ତେଲ କାରବାର ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଦେଇ ହୋଇଥାଏ। ଯୁଦ୍ଧ ସମୟରେ ଇରାନ ଏହି ରାସ୍ତା ବନ୍ଦ କରି ବିଶ୍ୱକୁ ବ୍ଲାକମେଲ୍ କରିଥାଏ। ନେତାନ୍ୟାହୁଙ୍କ ଯୁକ୍ତି ହେଉଛି, ଯଦି ସୌଦି ଆରବ, ୟୁଏଇ ଏବଂ ଜୋର୍ଡାନ ଦେଇ ଏହି ସ୍ଥଳପଥ କରିଡର ପ୍ରସ୍ତୁତ ହୁଏ, ତେବେ ଇରାନର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଏହା ଦ୍ୱାରା ୟୁରୋପ ମଧ୍ୟ ରୁଷ ଉପରେ ଶକ୍ତି ନିର୍ଭରଶୀଳତା କମାଇ ପାରିବ।

ତେବେ ଏହି ପ୍ଲାନ୍ ସାମ୍ନାରେ ରହିଛି ଅନେକ ବଡ଼ ଆହ୍ୱାନ। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- କ’ଣ ମୁସଲିମ ଦେଶଗୁଡ଼ିକ ନିଜର ଶକ୍ତି ସୁରକ୍ଷାର ଚାବି ଇସ୍ରାଏଲ୍ ହାତରେ ଟେକିଦେବେ? ‘ଅବ୍ରାହମ ଏକର୍ଡ’ ପରେ ସମ୍ପର୍କରେ ସୁଧାର ଆସିଥିଲେ ମଧ୍ୟ ଚାଲିଥିବା ଯୁଦ୍ଧ ଏହି ସହଯୋଗରେ ବାଧା ସୃଷ୍ଟି କରିପାରେ। ସମାଲୋଚକଙ୍କ କହିବା କଥା, ଯଦି ଏହି କରିଡର ପ୍ରସ୍ତୁତ ହୁଏ, ତେବେ ଭବିଷ୍ୟତରେ ଇସ୍ରାଏଲ୍ ମଧ୍ୟ ନିଜର ପ୍ରଭାବ ବିସ୍ତାର କରି ବିଶ୍ୱ ଅର୍ଥନୀତିକୁ ନିୟନ୍ତ୍ରଣ କରିବାର କ୍ଷମତା ହାସଲ କରିନେବ।

ଏହି ଯୋଜନାକୁ ଆମେରିକାର ସମର୍ଥନ ମିଳିବ କି ନାହିଁ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଏହି ଅଞ୍ଚଳରେ ସ୍ଥିରତା ଚାହୁଁଥିବା ବେଳେ ନେତାନ୍ୟାହୁଙ୍କ ବିଶ୍ୱାସ ଯେ, ଯୁଦ୍ଧ ପରେ ଏହି କରିଡର ହିଁ ମଧ୍ୟପ୍ରାଚ୍ୟର ସବୁଠାରୁ ବଡ଼ ଭୂ-ରାଜନୈତିକ ପରିବର୍ତ୍ତନ ହେବ।

ନେତାନ୍ୟାହୁଙ୍କ ଏହି ‘ମାଷ୍ଟର ପ୍ଲାନ୍’ କେବଳ ଏକ କଳ୍ପନା କିମ୍ବା ବାସ୍ତବତା, ତାହା ସମୟ କହିବ। କିନ୍ତୁ ଯଦି ଏହା ସଫଳ ହୁଏ, ତେବେ ଇସ୍ରାଏଲ୍ କେବଳ ଏକ ସାମରିକ ଶକ୍ତି ନୁହେଁ, ବରଂ ବିଶ୍ୱର ଏକ ପ୍ରମୁଖ ‘ଏନର୍ଜି ହବ୍’ ଭାବେ ଉଭା ହେବ।

Leave A Reply

Your email address will not be published.