ସୁଭଦ୍ରା ଯୋଜନାରେ ନୂଆ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏପ୍ରିଲ ୧ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା
ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ସୁଭଦ୍ରା ଯୋଜନା’ ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରଙ୍କ ଅନୁମୋଦନ କ୍ରମେ, ଆସନ୍ତା ୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ ।
ଆବେଦନ ଅବଧି: ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ।
ବୟସ ସୀମା: ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଆର୍ଥିକ ସହାୟତା: ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି ପାଇବେ ।
ଆବେଦନ ପ୍ରକ୍ରିୟା ଓ ସର୍ତ୍ତାବଳୀ:
କେଉଁମାନେ ଆବେଦନ କରିପାରିବେ: ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାଁନ୍ତି, କେବଳ ସେହିମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ।
କେଉଁଠାରେ ଆବେଦନ କରିବେ : ନୂତନ ଆବେଦନଗୁଡିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ।
ଫର୍ମ ଉପଲବ୍ଧତା: ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ । ଏଥିରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି ।