ବେଙ୍ଗାଳୁରୁ: ଆଇପିଏଲ୍ ୨୦୨୬ର ପ୍ରଥମ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି) ଏକ ବଡ଼ ବିଜୟ ହାସଲ କରିଛି। ଡିଫେଣ୍ଡିଙ୍ଗ୍ ଚାମ୍ପିୟନ୍ ଆରସିବି ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍)କୁ ୬ ୱିକେଟ୍ରେ ପରାଜିତ କରି ବିଜୟ ଅଭିଯାନ ଆରମ୍ଭ କରିଛି।
ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଏସଆରଏଚ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଜବାବରେ ଆରସିବି ୧୫.୪ ଓଭରରେ ୪ ୱିକେଟ୍ ହରାଇ ଟାର୍ଗେଟ୍ ହାସଲ କରିଥିଲା।
ଏସଆରଏଚ ପାଇଁ ଇଶାନ୍ କିଶନ୍ ଭଲ ବ୍ୟାଟିଂ କରିଥିଲେ। ସେ ୩୮ ବଲରେ ୮୦ ରନ୍ କରିଥିଲେ। ଅନିକେତ୍ ବର୍ମା ୪୩ ରନ୍ ଏବଂ ହେନ୍ରିକ୍ କ୍ଲାସେନ୍ ୩୧ ରନ୍ ଯୋଡ଼ିଥିଲେ। ଆର୍ସିବି ପାଇଁ ଜେକବ୍ ଡଫି ସର୍ବୋତ୍ତମ ବୋଲିଂ କରି ୩ ୱିକେଟ୍ ନେଇଥିଲେ। ରୋମେରିଓ ଶେଫର୍ଡ ମଧ୍ୟ ୩ଟି ୱିକେଟ୍ ହାସଲ କରିଥିଲେ।
ଆରସିବି ଆକ୍ରମଣାତ୍ମକ ଭାବେ ଚେଜ୍ କରିଥିଲା। ଇମ୍ପାକ୍ଟ ପ୍ଲେୟାର୍ ଭାବେ ଦେବଦତ୍ତ ପଡିକ୍କଲ୍ ଜବରଦସ୍ତ ଇନିଂସ ଖେଳି ୨୬ ବଲରେ ୬୧ ରନ୍ କରିଥିଲେ। ରଜତ୍ ପାଟିଦାର ୩୧ ରନ୍ ଯୋଡ଼ିଥିଲେ। ଶେଷରେ ବିରାଟ୍ କୋହଲି ଅପରାଜିତ ୬୯ ରନ୍ କରି ଦଳକୁ ଜିତାଇଥିଲେ। ସେ ୩୮ ବଲରେ ୫ଟି ଚୌକା ଓ ୫ ଛକ୍କା ମାରିଥିଲେ।
ଏହି ବିଜୟ ସହ ଆରସିବି ଏସଆରଏଚ ବିରୋଧରେ ୧୯୦+ ରନର ଟାର୍ଗେଟକୁ ପ୍ରଥମ ଥର ପାଇଁ ସଫଳତାର ସହ ଚେଜ୍ କରି ଇତିହାସ ରଚିଛି। ମ୍ୟାଚ୍ ଶେଷ ହେବାକୁ ୨୬ ବଲ୍ ବାକି ଥାଇ ଦଳ ବିଜୟ ହାସଲ କରିଛି।