ଚେନ୍ନାଇ: ଅଭିନେତା ଏବଂ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ମୁଖ୍ୟ ବିଜୟ ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ରବିବାର ଏକ ବଡ଼ ଘୋଷଣା କରିଛନ୍ତି । ବିଜୟ ଘୋଷଣା କରିଛନ୍ତି ଯେ ସେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ – ଚେନ୍ନାଇର ପେରାମ୍ବୁର ଏବଂ ତିରୁଚିରାପଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳୀୟ ପଦାଧିକାରୀଙ୍କ ଏକ ବୈଠକରେ ଉଦବୋଧନ ଦେଇ ଟିଭିକେ ମୁଖ୍ୟ କହିଛନ୍ତି ଯେ ଏହି ଉଭୟ ଆସନ ପାଇଁ ତାଙ୍କ ନାଁ ସି. ଜୋସେଫ ବିଜୟ ରହିଛି ।
ଏହା ସହିତ ସେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକାରେ ଟି ନଗରରୁ ଏନ ଆନନ୍ଦ, ମିଲାପୋରରୁ ଭେଙ୍କଟ ରମଣ, ଭିଲିଭକକାମରୁ ଆଧାର ଅର୍ଜୁନ, ଗୋବିଚେଟ୍ଟିପାଲାୟମରୁ କେ ସେଙ୍ଗକୋଟିୟାନ, ତିରୁଚେଙ୍ଗୋଡରୁ କେ.ଜି ଅରୁଣରାଜ ଏବଂ ତିରୁପାରାକୁଣ୍ଡ୍ରାମର ସିଟିଆର ନିର୍ମଳ କୁମାର ଲଢୁଛନ୍ତି। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଥାଉଜାଣ୍ଡ ଲାଇଟସର ଜେସିଡି ପ୍ରଭାକର, କୋଲାଥୁରର ଭିଏସ୍ ବାବୁ ଏବଂ ଆରକେ ନଗରର ଡକ୍ଟର ମାରିଆ ୱିଲସନ ରହିଛନ୍ତି ।
ପ୍ରାର୍ଥୀ ଘୋଷଣା ସହ ବିଜୟ ବଡ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ଦଳସରକାରକୁ ଆସିଲେ ସେମାନେ ୨୯ ବର୍ଷରୁ ଅଧିକ ବୟସର ବେକାରୀ ଯୁବକ-ଯୁବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ସେମାନଙ୍କୁ ମାସିକ ୪ ହଜାର ଟଙ୍କା ମିଳିବ । ସେହିପରି ଡିପ୍ଲୋମାଧାରୀଙ୍କୁ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ନିର୍ବାଚନକୁକୁ ଏକ ସିଧାସଳଖ ଲଢ଼େଇ ଭାବରେ ଦର୍ଶାଇ ବିଜୟ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସାର୍ଙ୍କ ନେତୃତ୍ୱାଧୀନ ଶାସକ ଦ୍ରାବିଡ ମୁନେତ୍ର କାଝଗମ (ଡିଏମକେ) ଗଠବନ୍ଧନ ବିରୋଧରେ ମଇଦାନରେ ରହିଛୁ । ସେ ମେଣ୍ଟକୁ ସମାଲୋଚନା କରି ଏହାକୁ ଏକ ପ୍ୟାଚ୍-ଅପ୍ ବୋଲି କହି କଟାକ୍ଷ କରିଛନ୍ତି ।