ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭରୁ ଆଘାତ ସମସ୍ୟା ଚେନ୍ନାଇ ସୁପର କିଙ୍ଗସ ପିଛା ଛାଡୁନି । ଦଳର ଷ୍ଟାର ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ୨ ସପ୍ତାହ ବିଶ୍ରାମ ପରାମର୍ଶ ଦିଆଯାଇଥିବା ବେଳେ ଏବେ ଡେୱାଲ୍ଡ ବ୍ରେଭିସ ଆଘାତପ୍ରାପ୍ତ ହୋଇଛନ୍ତି । ବ୍ରେଭିସଙ୍କ ସ୍ଥାନରେ ମାଥ୍ୟୁ ଶର୍ଟ କିମ୍ବା ସର୍ଫରାଜ ଖାଁଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ଚେନ୍ନାଇ ମାର୍ଚ୍ଚ ୩୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ଭେଟିବ ।
ପେସ ବୋଲର ନାଥାନ ଏଲିସ ମଧ୍ୟ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ତାଙ୍କ ବଦଳରେ ସ୍ପେନ୍ସର ଜନଶନଙ୍କୁ ଦଳରେ ନିଆଯାଇଛି । ଗତ ସଂସ୍କରଣରେ ଚେନ୍ନାଇର ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲା । ରିତୁରାଜ ଗାଏକ୍ୱାଡ ସିଜନ ଅଧାରୁ ଆଘାତ ସମସ୍ୟାରେ ପଡିବାରୁ ଧୋନୀ ଦଳର ନେତୃତ୍ୱ ନେଇଥିଲେ । ଧୋନୀ ୪୪ ବର୍ଷରେ ପଦାର୍ପଣ କରିଥିବାରୁ ଏହା ତାଙ୍କର ଶେଷ ଆଇପିଏଲ ହେବ ବୋଲି ଅନୁମାନ କରାଯାଉଛି । ଫିଟନେସ ସମସ୍ୟା ତାଙ୍କୁ ବାରମ୍ବାର ଅସୁବିଧାରେ ପକାଉଛି ।