ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରୁ ଆସୁଛି ଏକ ବଡ଼ ଖବର। ମାତ୍ର ୧୫ ବଲ୍ରେ ଅର୍ଦ୍ଧଶତକ ଏବଂ ଆଇପିଏଲ୍ ଡେବ୍ୟୁରେ ଚମତ୍କାର ବ୍ୟାଟିଂ କରି ସାରା ବିଶ୍ୱର ନଜରକୁ ଆସିଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରେ ସାମିଲ କରିବା ପାଇଁ ଅନେକ ଦିଗ୍ଗଜ ଦାବି କରୁଥିବା ବେଳେ, ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଅଶ୍ୱିନଙ୍କ କହିବା କଥା – “ବୈଭବ ଏବେ ବି ଜଣେ ପିଲା, ତାଙ୍କୁ ନେଇ ଏତେ ଶୀଘ୍ର ବ୍ୟସ୍ତ ହୁଅନ୍ତୁ ନାହିଁ।”
ବୈଭବ ସୂର୍ଯ୍ୟବଂଶୀ – ଭାରତୀୟ କ୍ରିକେଟର ଏହି ନୂଆ ନାମ ଏବେ ସବୁଆଡେ ଚର୍ଚ୍ଚାରେ। ମାତ୍ର ୩୫ ବଲ୍ରେ ଶତକ ଏବଂ ଆଇପିଏଲ୍ରେ ୧୫ ବଲ୍ରେ ଧୂଆଁଧାର ଅର୍ଦ୍ଧଶତକ ମାରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କର ଏହି ବିସ୍ଫୋରକ ଶୈଳୀ ଦେଖି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ଙ୍କଠାରୁ ଆରମ୍ଭ କରି ଭାରତର ଅନିଲ୍ କୁମ୍ବଲେ ଓ ନବଜୋତ ସିଂ ସିଦ୍ଧୁଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜାତୀୟ ଦଳରେ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଅଶ୍ୱିନ୍ ଏହି ଜୋସ୍ ମଧ୍ୟରେ ‘ହୋସ୍’ ରଖିବାକୁ ପରାମର୍ଶ ଦେଇଛନ୍ତି।
ବୈଭବ ଏବେ ଛୋଟ ପିଲା, ତାଙ୍କୁ ଏବେଠାରୁ ଆନ୍ତର୍ଜାତୀୟ ଚାପ ମଧ୍ୟକୁ ଠେଲି ଦିଅନ୍ତୁ ନାହିଁ। ଯଦି ଧୋନି ୪୫ ବର୍ଷ ଯାଏଁ ଖେଳିପାରୁଛନ୍ତି, ତେବେ ବୈଭବଙ୍କ ପାଖରେ ଏବେ ବି ପ୍ରାୟ ୨୫ ବର୍ଷର କ୍ରିକେଟ୍ ବାକି ଅଛି। ସେ ଜଣେ ପ୍ରତିଭାବାନ ଖେଳାଳି, କିନ୍ତୁ ଠିକ୍ ସମୟରେ ସେ ନିଶ୍ଚୟ ସୁଯୋଗ ପାଇବେ ବୋଲି କହିଛନ୍ତି ଅଶ୍ବିନ।
ତେବେ ମାଇକେଲ୍ ଭନ୍ କହିଛନ୍ତି ଯେ, ଯଦି ତାଙ୍କ ହାତରେ କ୍ଷମତା ଥାନ୍ତା, ସେ ବୈଭବଙ୍କୁ ଆଗାମୀ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହ ନେଇଯାଆନ୍ତେ। କିନ୍ତୁ ଅଶ୍ୱିନ୍ ଜଣେ ଅଭିଜ୍ଞ ଖେଳାଳି ଭାବେ ବୈଭବଙ୍କ ଉପରେ ଯେଭଳି ମାନସିକ ଚାପ ନପଡ଼େ, ସେଥିପାଇଁ ସମସ୍ତଙ୍କୁ ସଂଯମତା ଅବଲମ୍ବନ କରିବାକୁ ଅପିଲ୍ କରିଛନ୍ତି।
ନିଶ୍ଚିତ ଭାବେ ବୈଭବଙ୍କ ପାଖରେ ଭାରତ ପାଇଁ ଖେଳିବାର ସମସ୍ତ କ୍ଷମତା ରହିଛି। କିନ୍ତୁ ଜଣେ କୁନି ପ୍ରତିଭାଙ୍କୁ ଅତ୍ୟଧିକ ଚାପରୁ ରକ୍ଷା କରିବା ପାଇଁ ଅଶ୍ୱିନଙ୍କ ଏହି ମତ ଏବେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏକ ନୂଆ ବିତର୍କ ସୃଷ୍ଟି କରିଛି।