ଭୁବନେଶ୍ବର: ଆଜି କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ବ ଆଥଲେଟିକ୍ସ ଚମ୍ପିଅନସିପ୍ର ପତାକା ପ୍ରଦାନ କରିଛନ୍ତି । ଏଥିସହିତ ଓଡିଶା ୨୦୨୮ରେ ଏହି ଗୌରବଜନକ ଚମ୍ପିଅନସିପ୍ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ।
ସୂଚନାଯୋଗ୍ୟ ଯେ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ରବୀନ୍ଦ୍ର ଚୌଧୁରୀ ଏବଂ ଓଡିଶାର କ୍ରୀଡା ସଚିବ ଭୂପେନ୍ଦ୍ର ସିଂ ପୁନିଆ ପୋଲାଣ୍ଡରେ ଏହି ଚମ୍ପିଅନସିପ୍ର ଫ୍ଲାଗ୍ ଗ୍ରହଣ କରିଥିଲେ । ଏହାଦ୍ବାରା ଭାରତ ଓ ଓଡିଶାକୁ ଏହି ଚମ୍ପିଅନସିପ୍ ଆୟୋଜନ କରିବାର ଦାୟିତ୍ବ ବିଧିବଦ୍ଧ ଭାରେ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ପୋଲାଣ୍ଡରେ ୱାର୍ଲ୍ଡ ଆଥଲେଟିକ୍ସର ପ୍ରେସିଡେଣ୍ଟ ସେବାଷ୍ଟିଆନ୍ କୋ ଭାରତର ଓଡିଶାରେ ଏହି ଚମ୍ପିଅନସିପ୍ ହେବ ବୋଲି ଘୋଷଣା କରିଥିଲେ । ଏହାଦ୍ବାରା ବିଶ୍ବ କ୍ରୀଡା ପଟଳରେ ଓଡିଶା ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି ।
ଏହି ପତାକାକୁ ଗ୍ରହଣକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା କେବଳ ଏକ ଇଭେଣ୍ଟ ନୁହେଁ, ଏହା ଓଡିଶାର କ୍ରୀଡାପାଇଁ ଏକ ଐତିହାସିକ ମୁହୂର୍ତ୍ତ। ୨୦୨୮ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବା ସହିତ ଏହି ପତାକା ଆମ ଆଶା, ଆକାଂକ୍ଷା ଓ ଗୌରବମୟ ଯାତ୍ରାର ପ୍ରତୀକ। ଏହା ହେଉଛି ସାରା ବିଶ୍ବକୁ ଓଡିଶାର ପ୍ରତିଶୃତି-ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ।
ୱାର୍ଲ୍ଡ ଆଥଲେଟିକ୍ସ ଚମ୍ପିଅନସିପ୍ ବିଶ୍ବସ୍ତରୀୟ ଟ୍ରାକ୍ ଆଣ୍ଡ ଫିଲ୍ଡର ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଏଥିରେ ବିଶ୍ବର ଶ୍ରେଷ୍ଠ ଖେଳାଳୀମାନେ ପ୍ରତିଯୋଗିତା କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିଥାନ୍ତି ।