Latest Odisha News

BREAKING NEWS

୧୦ ମାଓ ପ୍ରଭାବିତ ଜିଲ୍ଲାପାଳଙ୍କୁ ଚିଠି, ବସୁନ୍ଧରା ଯୋଜନାରେ ଭୂମି ଓ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡିକରେ ଗ୍ରାମୋଦୟ ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଚିଠି ଲେଖିଛନ୍ତି ।

‘ଗ୍ରାମୋଦୟ’ ଯୋଜନାର ଲକ୍ଷ୍ୟ ହେଉଛି ମାଓବାଦୀ ପ୍ରଭାବିତ ଗ୍ରାମଗୁଡିକରେ ସରକାରୀ ଯୋଜନା ଏବଂ ମୌଳିକ ସୁବିଧାସୁଯୋଗ ସୁଚାରୁରୂପେ ପହଞ୍ଚାଇବା । ଏଥିନିମନ୍ତେ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ସମୟସୀମା ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି ।

ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ୩୯ଟି ବ୍ଲକ୍ର ୪୮୪ଟି ଗ୍ରାମରେ ରହୁଥିବା ବାସହୀନ ପରିବାରଙ୍କୁ ମେ ୧୫ ମଧ୍ୟରେ ସର୍ଭେକ୍ଷଣ ମାଧ୍ୟମରେ ଚିହ୍ନଟ କରି ‘ବସୁନ୍ଧରା ଯୋଜନା’ ଅନ୍ତର୍ଗତ ଭୂମି ପ୍ରଦାନ ଓ ଜମିପଟ୍ଟା ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି l

ଏହି ସବୁ ଅଞ୍ଚଳରେ ଇ-ଡିଷ୍ଟ୍ରିକ୍ଟ୍ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାସସ୍ଥାନ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଆଦିକୁ ସମୟସୀମା ଭିତରେ ପ୍ରାଥମିକତା ଆଧାରରେ ପ୍ରଦାନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ରହିଛି l

ରାଜ୍ୟ ସରକାରଙ୍କ ଦ୍ଵାରା ଏହି ପଦକ୍ଷେପମାନଙ୍କ ମାଧ୍ୟମରେ ମାଓପ୍ରବଣ ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ସୁଦୂରପ୍ରସାରୀ କରିବା ସହ ଲୋକାଭିମୁଖି ସୁଶାସନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ରାଜସ୍ୱ ସଚିବ ଗୁରୁତ୍ୱାରୋପ କରିଛନ୍ତି l

Leave A Reply

Your email address will not be published.