ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନ୍ରୁ ବଡ ଧରଣର ଗଞ୍ଜେଇ ଚାଲାଣ ଧରାପଡିଛି । ସେମାନଙ୍କ ଠାରୁ ପ୍ରାୟ ୨୬ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି ।
ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ଶୁଭମ କୁମାର ଦୁବେ ଓ କନିଷ ମିଶ୍ର ଏବଂ ବିହାର ସହରସା ଅଞ୍ଚଳର ଭରତ କୁମାର । ଆରପିଏଫ୍, ସିଆଇବି ଟିମ୍ ଓ ରାଉରକେଲା ଅବକାରୀ ମୋବାଇଲ୍ ୟୁନିଟ୍ର ମିଳିତ ଚଢ଼ଉରେ ଏହି ସଫଳତା ମିଳିଛି । ଏହି ଅପରେସନ୍ ରେ ଆରପିଏଫର ଇନ୍ସପେକ୍ଟର ଟି. ଶିକାରୀ, ଏଏସ୍ଆଇ ପିପି ଯାଦବ, ରାଉରକେଲା ଅବକାରୀ ମୋବାଇଲ୍ ୟୁନିଟ୍ର ଇନ୍ସପେକ୍ଟର ଦିଲୀପ ନାୟକ ପ୍ରମୁଖ ସାମିଲ ଥିଲେ ।
ମିଳିଥିବା ଖବର ଅନୁସାରେ, ଏହି ଗିରଫ ୩ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ ଏପ୍ରିଲ ୯ରେ ବୋକାରୋରୁ ସମ୍ବଲପୁର ଯାଇଥିଲେ । ସେଠାରେ ପ୍ରୀତି ନାମକ ଜଣେ ମହିଳାଙ୍କୁ ଭେଟି ଗଞ୍ଜେଇ ଭର୍ତ୍ତି ୬ଟି ପ୍ୟାକେଟ୍ ଆଣିଥିଲେ । ପରେ କୁର୍ଲା-ହାୱଡ଼ା ଏକ୍ସପ୍ରେସ୍ରେ ସମ୍ବଲପୁରରୁ ରାଉରକେଲା ପହଞ୍ଚିଥିଲେ । ତେବେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରୁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଷ୍ଟେସନ୍ ନିକଟ ହନୁମାନ ମନ୍ଦିର ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ୩ ଜଣ ୨ଟି ଟ୍ରଲି ବ୍ୟାଗ୍ ଧରି ଠିଆ ହୋଇଥିଲେ । ପୋଲିସ ତୁରନ୍ତ ସେମାନଙ୍କୁ କାବୁ କରି ତନାଘନା କରିଥିଲା।