ଭୁବନେଶ୍ୱର: ରାଜ୍ୟରେ ଏବେ ଠାରୁ ପ୍ରଚଣ୍ଡ ଖରା ଯୋଗୁ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଆଗକୁ ମଧ୍ୟ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ । ଆସନ୍ତା ୧୭ ତାରିଖ ଶୁକ୍ରବାର ଯାଏଁ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ଭବାନୀପାଟଣା ଓ ବଲାଙ୍ଗୀରରେ ୪୧, ଝାରସୁଗୁଡ଼ାରେ ୪୦.୭, ହୀରାକୁଦରେ ୪୦ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୭.୭, କଟକରେ ୩୭.୪ଡିଗ୍ରୀ ରହିଥିଲା ।
ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଟିଟିଲାଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ବରଗଡ଼ରେ ୪୨ ଓ ବୌଦ୍ଧରେ ୪୧ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ ରହିବ ।
ମଙ୍ଗଳବାର ୧୪ ତାରିଖ ଦିନ ଦୁଇ ଜିଲ୍ଲା ବରଗଡ଼ ଓ ବଲାଙ୍ଗୀରରେ ଗ୍ରୀଷ୍ମଲହରୀ ବହିପାରେ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ରହିବ । ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ରେ ୪୫ ଡିଗ୍ରୀ ଛୁଇଁ ଯାଇପାରେ । ଝାରସୁଗୁଡ଼ାରେ ୪୩, ବୌଦ୍ଧ ଓ ନୂଆପଡ଼ାରେ ୪୧ ଡିଗ୍ରୀ ରହିପାରେ । ୧୫ ଓ ୧୬ ତାରିଖରେ ବରଗଡ଼ ଓ ବଲାଙ୍ଗୀର ସମେତ ଝାରସୁଗୁଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମଲହରୀ ପ୍ରବାହିତ ହୋଇପାରେ । ଏହି ଦୁଇ ଦିନ ବଲାଙ୍ଗୀର, ଟିଟିଲାଗଡ଼ ଓ ବରଗଡ଼ ଓ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
୧୭ ଓ ୧୮ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।