ଭୁବନେଶ୍ବର: ଆଜି ୭୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରୁ ପ୍ରତିବର୍ଷ ଏପ୍ରିଲ ୧୩ ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ । ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ଲୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋକଏନ୍ସ ବର୍ଗର”। ୧୯୪୮ ମସିହା ଅପ୍ରେଲ ୧୩ ତାରିଖ ଦିନ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକକୁ ନିଜ କରକମଳରେ ସ୍ଥାପିତ କରିଥିଲେ ।
ପ୍ରତିଷ୍ଠା ଦିବସ ଅବସରରେ ସଜେଇ ହୋଇଛି ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠ, ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ । ସବୁଠି ଦେଖିବାକୁ ମିଳିଛି ଆଲୋକ ମାଳାର ସାଜସଜ୍ଜା ।
ଏହି ଅବସରରେ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି। ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମସି ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି ।
ଭୁବନେଶ୍ୱର କେବଳ ଏକ ଆଧୁନିକ ସହର ନୁହେଁ, ଏହାର ଇତିହାସ ୨୦୦୦ ବର୍ଷରୁ ଅଧିକ ପୁରୁଣା। ଲିଙ୍ଗରାଜ ମନ୍ଦିର ଭଳି ଶତାଧିକ ପ୍ରାଚୀନ ମନ୍ଦିର ଏବଂ କଳିଙ୍ଗ ସ୍ଥାପତ୍ୟ କଳା ପାଇଁ ଏହାକୁ ‘ମନ୍ଦିର ମାଳିନୀ ସହର’ କୁହାଯାଏ। ଖଣ୍ଡଗିରି, ଉଦୟଗିରି ଭଳି ପ୍ରାଚୀନ ସ୍ଥାନରୁ ଆରମ୍ଭ କରି ଆଜିର ସମୟରେ ଆଇଟି (IT), ଶିକ୍ଷା, କ୍ରୀଡ଼ା ଏବଂ ପର୍ଯ୍ୟଟନର ହବ୍ ପାଲଟିଥିବା ଭୁବନେଶ୍ୱର ହେଉଛି ଐତିହ୍ୟ ଓ ଆଧୁନିକତାର ଏକ ସୁନ୍ଦର ମିଶ୍ରଣ ।