Latest Odisha News

BREAKING NEWS

ଭିତର ରତ୍ନଭଣ୍ଡାର ଗଣତି ମଣତି:ଅଳଙ୍କାରର 3D ମ୍ୟାପିଂ ସହ ୨୦୨୬ ଟ୍ୟାଗିଂ କରାଯାଉଛି…

ପୁରୀ: ଆଜିଠୁ ଆରମ୍ଭ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି । ଏସଓପି ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଭିତର ରତ୍ନଭଣ୍ଡାରରେ ହିଁ ଗଣତି କରାଯାଉଛି ।ଅପରାହ୍ନ ୧୨ଟା ୨୫ ମିନିଟ୍ରେ ଭିତର ରତ୍ନଭଣ୍ଡାର ତାଲା ଖୋଲିବା ପରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ପ୍ରଥମ ଦିନରେ ୨୦ରୁ ଉର୍ଦ୍ଧ୍ବ ପ୍ରକାର ଅଳଙ୍କାରର ଆଜି ଗଣତି କରାଯାଇଛି ।

୧୯୭୮ ମସିହା ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରକୁ ମେଳକ କରାଯାଉଛି । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ କରାଯାଇ ତା’ର ଫଟୋଗ୍ରାଫି, ଭିଡିଓଗ୍ରାଫି ସହିତ ଥ୍ରୀଡି ସ୍କାନିଂ କରାଯାଉଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସମସ୍ତ ଗଣତି ମଣତି କାର୍ଯ୍ୟକୁ ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରୀଡି ସ୍କାନିଙ୍ଗ କରାଯାଉଛି । ଆଲମିରାରେ ଥିବା ଅଳଙ୍କାର ଗୁଡ଼ିକୁ ପ୍ରଥମେ କଢାଯାଇ ହ୍ୟାଣ୍ଡ ଲିଙ୍ଗ ଟିମ୍ ବା କାର୍ଯ୍ୟବାହୀ ଦଳ ଗଣତି କାର୍ଯ୍ୟ କରିଥିଲେ । ରୂପା ଅଳଙ୍କାରକୁ ଧଳା କପଡ଼ାରେ, ସୁନା ଅଳଙ୍କାରକୁ ହଳଦିଆ କପଡ଼ାରେ ସୁରକ୍ଷିତ ଭାବେ ରଖାଯାଉଛି । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ୨୦୨୬ ଟ୍ୟାଗିଂ କରାଯାଉଥିବା ବେଳେ ୧୯୭୮ ମସିହାର କ୍ରମିକ ନଂ ମଧ୍ୟ ଉଲ୍ଲେଖ କରାଯାଇ ଅତି ଯତ୍ନର ସହିତ ସିନ୍ଦୁକରେ ରଖାଯାଉଛି । ଏହି ଟ୍ୟାଗିଂ ଦ୍ବାରା ଆଗାମୀ ଦିନରେ ଖୁବ୍ ସହଜରେ ଏବଂ କମ୍ ସମୟରେ ଗଣତି ମଣତି କାର୍ଯ୍ୟ ହୋଇପାରିବ । ପ୍ରତ୍ୟେକ ଅଳଙ୍କାରକୁ ଏକ ଷ୍ଟିଲ୍ ବାକ୍ସରେ ପ୍ରଥମେ ରଖାଯିବା ପରେ ଷ୍ଟିଲ ବାକ୍ସ ଗୁଡ଼ିକୁ ସିନ୍ଦୁକ ଭିତରେ ଅତି ଯତ୍ନର ସହିତ ରଖାଯାଉଛି । ବର୍ତ୍ତମାନ ଦୁଇଟି ସିନ୍ଦୁକରେ ଅଳଙ୍କାର ରଖାଯାଉଥିବା ବେଳେ ଆଗାମୀ ଦିନରେ ଯଦି ଆବଶ୍ୟକ ପଡେ ଅଳଙ୍କାର ରଖିବା ପାଇଁ ଅଧିକ ଚାରିଟି ସିନ୍ଦୁକର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରାଯିବା ସହ ଓଜନ ମାପ କରାଯାଇ ଡିଜିଟାଲ କ୍ୟାଟଲକ କରାଯାଉଛି । ସମ୍ପୂର୍ଣ୍ଣ ସ୍ବଚ୍ଛତାରେ ସମସ୍ତ କାର୍ଯ୍ୟ କରାଯାଉଛି ।

ଏହି ଟିମ୍‌ରେ ଶ୍ରୀମନ୍ଦିର ବଣିଆ ସେବକ, RBI ଅଧିକାରୀ, ରତ୍ନ ପଥର ବିଶେଷଜ୍ଞ ଏବଂ ଭିଡିଓଗ୍ରାଫର ଓ ଫଟୋଗ୍ରାଫର ସାମିଲ ଅଛନ୍ତି ।

Leave A Reply

Your email address will not be published.